କେସିଙ୍ଗା:-୨୧/୧ (ସମୃଦ୍ଧି ଓଡିଶା) କଳାହାଣ୍ଡି–କନ୍ଧମାଳ ସୀମାଞ୍ଚଳର ବହୁ ଚର୍ଚ୍ଚିତ ବାଲିଗୁଡା ବନଖଣ୍ଡ ଅଧୀନ ବେଲଘର ରେଞ୍ଜର ମୁଣ୍ଡୁଟି ଜଙ୍ଗଲରେ ଘଟିଥିବା ହାତୀ ମୃତ୍ୟୁ ଘଟଣା ଆଉ ଗଭୀର ହୋଇଛି। କେସିଙ୍ଗା ତହସିଲ ଅନ୍ତର୍ଗତ ସିରଯୋଜନା ନିକଟରୁ ୭ ଫୁଟ ତଳେ ପୋତାଯାଇଥିବା ମୃତ ହାତୀର ଖଣ୍ଡବିଖଣ୍ଡିତ ଦେହାଂଶ ଉଦ୍ଧାର ହୋଇଛି। ହାତୀ ପୋତିବା ଘଟଣାରେ ସଂଶ୍ଲିଷ୍ଟ ଥିବା କିଛି ବ୍ୟକ୍ତିଙ୍କ ସୂଚନା ଆଧାରରେ ବାଲିଗୁଡା ଓ କଳାହାଣ୍ଡି ବନଖଣ୍ଡର ଅଧିକାରୀମାନେ ଯୁଗ୍ମ ତଦନ୍ତ କରିଥିଲେ। ସ୍ଥାନ ଚିହ୍ନଟ ହେବା ପରେ ଅଞ୍ଚଳକୁ ଗ୍ରୀନ ବେରିକେଟ କରି ସୁରକ୍ଷିତ କରାଯାଇଥିଲା। ପରେ ଜେସିବି ଦ୍ୱାରା ମାଟି ଖୋଡ଼ାଯାଇ ୭ ଫୁଟ ତଳୁ ହାତୀର ଦେହାଂଶ ମିଳିଥିଲା।
ତଦନ୍ତ ସମୟରେ ସ୍ପଷ୍ଟ ହୋଇଛି ଯେ ହାତୀକୁ ଟିକିଟିକି କରି କାଟି ପୋତାଯାଇଥିଲା। ଦେହର ଅଧିକାଂଶ ଅଂଶ ପଚି ସଢ଼ିଯାଇଥିବାବେଳେ ଶୁଣ୍ଢ, ମୁଣ୍ଡ ଓ ପାଦ ଭଳି କିଛି ଅଂଶ ଉଦ୍ଧାର ହୋଇଛି। ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞ ଡାକ୍ତରମାନେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରିଥିଲେ। ଏହି ସମୟରେ ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣାସ୍ଥଳରୁ ଦୂରେଇ ରଖାଯାଇଥିଲା। ଏପରିକି ଫଟୋ ଓ ଭିଡିଓ ନେବାକୁ ମଧ୍ୟ ବାରଣ କରାଯାଇଥିଲା। ରାତି ସମୟରେ କେବଳ ମୋବାଇଲ ଆଲୋକରେ ଶବ ବ୍ୟବଚ୍ଛେଦ କରାଯିବାକୁ ନେଇ ବନ ବିଭାଗର ତଦନ୍ତ ପ୍ରକ୍ରିୟା ଉପରେ ଗଭୀର ସନ୍ଦେହ ସୃଷ୍ଟି ହୋଇଛି। ବାଲିଗୁଡା ବନଖଣ୍ଡ ଡିଏଫଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ହୋଇଥିବାବେଳେ କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫଓ କହିଛନ୍ତି ଯେ ଏହି ଘଟଣା କନ୍ଧମାଳ ଜିଲ୍ଲା ସହ ସମ୍ପୃକ୍ତ। ତେବେ କନ୍ଧମାଳରୁ ଆସିଥିବା ବନ ଅଧିକାରୀମାନେ ଏନେଇ କୌଣସି ସ୍ପଷ୍ଟ ମତ ରଖିନଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ୫ ତାରିଖରେ ମୁଣ୍ଡୁଟି ଜଙ୍ଗଲରେ ଘଟିଥିବା ହାତୀ ମୃତ୍ୟୁ ଘଟଣାକୁ ଚାପି ଦେବା ଅଭିଯୋଗରେ ବେଲଘର ରେଞ୍ଜର ବିନୟ ବିଶିଙ୍କୁ ଗତକାଲି ବନ ବିଭାଗ ନିଲମ୍ବିତ କରିଥିଲା। ଆଜି ତାଙ୍କ ଗାଁ ନିକଟରୁ ମୃତ ହାତୀର ଦେହାଂଶ ମିଳିବା ପରେ ଘଟଣା ଆଉ ଅଧିକ ସନ୍ଦେହଜନକ ହୋଇଉଠିଛି।
ଏତେ ବଡ଼ ଓ ସମ୍ବେଦନଶୀଳ ବନ୍ୟପ୍ରାଣୀ ମୃତ୍ୟୁ ଘଟଣାରେ ବନ ବିଭାଗର ତଦନ୍ତ କେତେ ସ୍ୱଚ୍ଛ ଓ ନିଷ୍ପକ୍ଷ ତାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
୭ ଫୁଟ ତଳୁ ଉଦ୍ଧାର ହେଲା ମୃତ ହାତୀର ଖଣ୍ଡବିଖଣ୍ଡିତ ଦେହ











Leave a Reply