ଗୁର୍ଜିମୁଣ୍ଡାରେ ମା ଯୋଗମାୟା ଶକ୍ତିପୀଠରେ ଚଣ୍ଡୀ ପୂଜା ମହାସମାରୋହ ଶେଷ

କେସିଙ୍ଗା-୧୭/୨ (ସମୃଦ୍ଧି ଓଡିଶା)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଧିନସ୍ତ ଗୁର୍ଜିମୁଣ୍ଡା ଗ୍ରାମର ପ୍ରସିଦ୍ଧ ପୀଠ ମା ଯୋଗମାୟା ଶକ୍ତିପୀଠ ରେ ପାଳିତ ହୋଇଥିବା ଚଣ୍ଡୀ ପୂଜା ମହାସମାରୋହ ଧୁମଧାମରେ ଶେଷ ହୋଇଛି। ପ୍ରତିବର୍ଷ ଭଳି ଏବେ ମଧ୍ୟ ଦୂରଦୂରାନ୍ତରୁ ଭକ୍ତମାନେ ଆସି ମାଙ୍କ ଦର୍ଶନ କରିଥିଲେ ଓ ନିଜର ମନୋକାମନା ପୂରଣ ପାଇଁ ପୂଜାର୍ଚ୍ଚନା କରିଥିଲେ। ପୁଜାର ମୁଖ୍ୟ ଆକର୍ଷଣ ଥିଲା ସକାଳୁ ଆୟୋଜିତ ‘କାଳୀସି’ ପରମ୍ପରା। ପ୍ରଭାତରୁ କାଳୀସି ଲାଗି ଗ୍ରାମ ପରିଭ୍ରମଣ କରିଥିଲେ। ଢୋଳ, ନିଶାନ ଓ ଘଣ୍ଟାଧ୍ୱନିରେ ସମଗ୍ର ଗ୍ରାମ ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇଯାଇଥିଲା। ଗ୍ରାମବାସୀ ଏବଂ ଭକ୍ତମାନେ ଅଧିହା ପଡ଼ି ମାଙ୍କୁ ଆରାଧନା କରିଥିଲେ। ପରେ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବିଶେଷ ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଥିଲା।
ମଧ୍ୟାହ୍ନ ସମୟରେ କାଳୀସି କଣ୍ଟା ଦୋଳି ସହିତ ତ୍ରିଶୂଳରେ ଶବାର ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏହି ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିର ପରିସରରେ ଭିଡ଼ କରିଥିଲେ। ମାଙ୍କ ଜୟଧ୍ୱନିରେ ସମଗ୍ର ପରିବେଶ କମ୍ପିତ ହୋଇଯାଇଥିଲା।
ପରମ୍ପରା ଅନୁଯାୟୀ ପରେ ବଳି ପ୍ରଦାନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମାନସିକ ଧାରୀ ଭକ୍ତମାନେ ବୋଦା ଓ କୁକୁଡ଼ା ବଳି ଦେଇ ନିଜ ମନୋକାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ। ପୂଜାକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ଭାବେ ସମାପ୍ତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଗ୍ରାମ କମିଟି ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।
ଏହି ଚଣ୍ଡୀ ପୂଜା ମହାସମାରୋହ ଗୁର୍ଜିମୁଣ୍ଡା ଓ ପାଶ୍ୱର୍ତ୍ତୀ ଅଞ୍ଚଳରେ ଆଧ୍ୟାତ୍ମିକ ଏକତାର ପ୍ରତୀକ ଭାବେ ପରିଚିତ। ହଜାର ହଜାର ଭକ୍ତଙ୍କ ଉପସ୍ଥିତି ଏହି ପୀଠର ଆସ୍ଥା ଓ ଗୌରବକୁ ପୁନର୍ବାର ପ୍ରମାଣିତ କରିଛି।

Leave a Reply

Your email address will not be published. Required fields are marked *