କେସିଙ୍ଗା ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କେସିଙ୍ଗା, ୨୨/୨ ସମୃଦ୍ଧି ଓଡିଶା (ପ୍ରଫୁଲ୍ଲ ସାହୁ): କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ପରିସରରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ “ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର” ଶନିବାର ଦିନ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ଶିବିରର ଲକ୍ଷ୍ୟ ହେଉଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟଧାରାରେ ଆଣିବା ସହ ତାଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ସହାୟତା ଯୋଗାଇବା।ଶିବିରରେ ଆଖି, କାନ, ଅସ୍ଥି ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟାରେ ପୀଡ଼ିତ ମୋଟ ୧୮୮ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କର ନିଶୁଳ୍କ ଚିକିତ୍ସା ପରୀକ୍ଷା କରାଯାଇଥିଲା। ଏହା ସହ ୫୪ ଜଣ ଭିନ୍ନକ୍ଷମଙ୍କୁ ବାସ ଓ ଟ୍ରେନ ପାସ ସହିତ ଟ୍ରାଇସାଇକେଲ ବଣ୍ଟନ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ସୁବିଧା ପାଇ ଲାଭାନ୍ୱିତମାନେ ଖୁସି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଡିଓ ଜନ୍ମେଜୟ ସ୍ୱାଇଁ, ଏବିଡ଼ିଓ ସିଧେଶ୍ୱର ମେହେର, ବିଏସଏସଓ ରାକେଶ ବୋଡ଼ ଓ ଶ୍ରୀମନ୍ତ ବଡ଼ପଣ୍ଡା ଉପସ୍ଥିତ ଥିଲେ। ସେମାନେ ଭିନ୍ନକ୍ଷମମାନଙ୍କ ସମସ୍ୟା ଶୁଣି ସରକାରୀ ଯୋଜନାମାନଙ୍କ ବିଷୟରେ ସଚେତନତା ଜଣାଇଥିଲେ। ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କର୍ମଚାରୀ ଓ ବ୍ଲକ କର୍ମଚାରୀମାନେ ଶିବିର ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।ଏପରି ଶିବିର ଆୟୋଜନ ମାଧ୍ୟମରେ ସରକାର ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଶକ୍ତିକରଣ ଓ ସ୍ୱାଭିମାନ ବୃଦ୍ଧି ପାଇଁ ପ୍ରୟାସରତ ଅଛନ୍ତି। କେସିଙ୍ଗା ବ୍ଲକରେ ଆୟୋଜିତ ଏହି ଶିବିର ଭିନ୍ନକ୍ଷମମାନଙ୍କ ପାଇଁ ବଡ଼ ସହାୟତା ସୂଚକ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ ଜନାଯାଇଛି।

Leave a Reply

Your email address will not be published. Required fields are marked *