କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଜଣେ ଶ୍ରମିକ ଓ ଜଣେ ପିକଅପ୍ ଭ୍ୟାନ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ମାଟିଆ ଗ୍ରାମର ଜୟରାମ ଗୌଡ଼ ଖଜୁରପଡ଼ା ଛକସ୍ଥିତ ଅରିହନ୍ତ ରାଇସ ମିଲରେ ଶ୍ରମିକ ଭାବେ କାମ କରୁଥିଲେ। ବୁଧବାର ରାତିରେ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ସେ ଜାତୀୟ ରାଜପଥ-୨୬ ପାର ହେଉଥିଲେ। ଏହି ସମୟରେ ଭବାନୀପାଟଣାରୁ କେସିଙ୍ଗା ଅଭିମୁଖେ ଯାଉଥିବା ଓଡି-୦୨-ଡିକେ-୭୭୪୧ ନମ୍ବର ବିଶିଷ୍ଟ ଏକ ପିକଅପ୍ ଭ୍ୟାନ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାରେ ଜୟରାମ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ।

ଦୁର୍ଘଟଣା ଘଟାଇବା ପରେ ଚାଳକ ଭୟଭୀତ ହୋଇ ଦ୍ରୁତ ଗତିରେ ଗାଡ଼ି ନେଇ ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣାସ୍ଥଳରୁ ମାତ୍ର ଅଧ କିଲୋମିଟର ଦୂର ଚିଚର୍ଲା ଗ୍ରାମ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଫଳରେ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ଉତ୍କେଲା ପୋଲିସ ଫାଣ୍ଡି ଅଧିକାରୀ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଏନେଇ ଉତ୍କେଲା ଫାଣ୍ଡିର ଏ ଏସ ଆଇ ଅନୁପ କୁମାର ଶତପଥୀ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି। ଉଲ୍ଲେଖ ଯୋଗ୍ୟ, କିଛି ଦିନ ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଦୁଇ ଜଣ ଟ୍ରକ ଚାଳକ ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଥିବା ପ୍ରକାଶ କରିଛନ୍ତି ।