କେସିଙ୍ଗା:-୧୭/୮ (ପ୍ରଫୁଲ୍ଲ ସାହୁ) ଗରିବ ଓ ମେଧାବୀ ଛାତ୍ରୀଙ୍କ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ନାରୀ ସଶକ୍ତିକରଣ ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ପଞ୍ଚାୟତ ସମିତି କେସିଙ୍ଗାର ଅଧ୍ୟକ୍ଷ ଶ୍ରୀ ଚନ୍ଦନ କୁମାର ସେନାପତିଙ୍କ ଜରିଆରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି। ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରର ଅଧ୍ୟକ୍ଷଙ୍କୁ ଶ୍ରୀ ପଦ୍ମନାଭ ପୁରୋହିତ, ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କେସିଙ୍ଗା ଏବଂ ଶ୍ରୀ ସୁରେଶ କୁମାର ଷଡ଼ଙ୍ଗୀ, ଅଧ୍ୟାପକ, କୁଟୁମଡୋଳା ମହାବିଦ୍ୟାଳୟଙ୍କ ପକ୍ଷରୁ ସ୍ଥାୟୀ ଜମା ରାଶି ପ୍ରଦାନ କରାଯାଇଛି। ଏହି ଜମା ରାଶିରୁ ମିଳୁଥିବା ସୁଧ ଅର୍ଥରେ ପ୍ରତ୍ୟେକ ବର୍ଷ ଜଣେ ଗରିବ ଓ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ସହାୟତା “ରାସେଶ୍ୱରୀ ଓ ଗୋପେଶ୍ୱରୀ ସ୍ମାରକୀ ଆର୍ଥିକ ସହାୟତା” ନାମରେ ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ କାର୍ଯ୍ୟାଳୟ, ବଲାଙ୍ଗୀରର ଅଧିକାରୀ ଶ୍ରୀ ଦିଗାମ୍ବର କର, ଖପ୍ରାଖୋଲର ପୂର୍ବତନ ତହସିଲଦାର ଶ୍ରୀ ଆଦିତ୍ୟ ମିଶ୍ର, କେସିଙ୍ଗା ପଞ୍ଚାୟତ ସମିତି ସଦସ୍ୟ ଶ୍ରୀ ପ୍ରତାପ କୁମାର ବାଗ, ଶ୍ରୀମତୀ ପ୍ରତିମା ପ୍ରଧାନ, ନମିତା ପ୍ରଧାନ, ବ୍ଲକ ସଂଯୋଜିକା ଏବଂ କଳାହାଣ୍ଡି ଜିଲ୍ଲା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଶ୍ରୀ ଟଙ୍କଧର ମେହେର ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇଥିଲେ। ଗରିବ ଓ ମେଧାବୀ ଛାତ୍ରୀଙ୍କ ଶିକ୍ଷାରେ ଏହି ସହାୟତା ଏକ ନୂଆ ଆଶା ସୃଷ୍ଟି କରିବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।