କେସିଙ୍ଗା, ୨୯/୮ (ପ୍ରଫୁଲ୍ଲ ସାହୁ): ଦୀର୍ଘ ଚାରି ଦଶନ୍ଧି ଧରି ବନ୍ଦ ପଡ଼ି ରହିଥିବା କେସିଙ୍ଗାର କୋଣାର୍କ ସୂତାକଳର ପୁନରୁଦ୍ଧାର ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଣିଥରେ ଆଶାର ସଞ୍ଚାର ହୋଇଛି। ଏହି ଦିଗରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖିବାକୁ ମିଳିଥିବାବେଳେ ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂତାକଳ ପରିଦର୍ଶନ କରି ଏହାର ବର୍ତ୍ତମାନ ସ୍ଥିତିର କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀଙ୍କ ସହ ବୟନଶିଳ୍ପ ବିଭାଗର କମିଶନର ତାପସ ପୁନମ ଗୁହା, ବିଭାଗୀୟ ବରିଷ୍ଠ ଅଧିକାରୀ, ଜିଲ୍ଲା ପ୍ରଶାସନର ପ୍ରତିନିଧି ଏବଂ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପ୍ରତିନିଧି ଦଳ ସୂତାକଳର ସମଗ୍ର ପରିସର ବୁଲି ଦେଖିବା ସହ ପୁରୁଣା ଯନ୍ତ୍ରାଂଶ, ଗୋଦାମ ଘର ଓ ଅନ୍ୟାନ୍ୟ ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରିଥିଲେ।ପରିଦର୍ଶନ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସାମନ୍ତ କହିଥିଲେ ଯେ, କିଛି ସାମଗ୍ରୀ ଚୋରି ହୋଇଥିଲେ ମଧ୍ୟ ସୂତାକଳର ମୌଳିକ ଭିତ୍ତିଭୂମି ଏବେ ମଧ୍ୟ ସୁଦୃଢ଼ ଅବସ୍ଥାରେ ରହିଛି। ପିପିପି (ପବ୍ଲିକ-ପ୍ରାଇଭେଟ୍ ପାର୍ଟନରଶିପ୍) ମୋଡରେ ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାର ସମ୍ଭାବନା ରହିଥିବା ସେ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ତେବେ ସୂତାକଳର ପୁନରୁଦ୍ଧାର କାର୍ଯ୍ୟ କେବେ ଆରମ୍ଭ ହେବ କିମ୍ବା କେବେ ଉତ୍ପାଦନ ଆରମ୍ଭ ହେବ, ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରାଯାଇନାହିଁ।ସୂତାକଳ ପୁନର୍ବାର ଚାଲୁ ହେଲେ ଅଞ୍ଚଳରେ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳର ଆର୍ଥିକ ବିକାଶରେ ନୂଆ ଦିଗ ଖୋଲିବ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଢ଼ଙ୍କ ସମେତ ବହୁ ଜନପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସୁଚନା ଅନୁଯାୟୀ, କିଛି ମାସ ପୂର୍ବରୁ ବିଜେପି ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ମଧ୍ୟ ସୂତାକଳ ପରିଦର୍ଶନ କରି ଏହାର ପୁନରୁଦ୍ଧାର ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏବେ ଏକ ଘରୋଇ ସଂସ୍ଥା ପ୍ରାୟ ୧୨୦୦ କୋଟି ଟଙ୍କା ବ୍ୟୟରେ ସୂତାକଳର ଆଧୁନିକୀକରଣ ଓ ପୁନଃକାର୍ଯ୍ୟକ୍ଷମ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
କେସିଙ୍ଗା କୋଣାର୍କ ସୂତାକଳ ପୁନରୁଦ୍ଧାର ନେଇ ଆଶା ବଢ଼ିଲା, ସ୍ଥିତି ପରଖିଲେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ











Leave a Reply