ଯଲକୋ ରେତ ନଦୀରେ ଅଘଟଣ: ପାଣିରେ ଭାସିଗଲେ ତିନି ବାଳକ, ଜଣେ ଗୁରୁତର

କେସିଙ୍ଗା,୧୬/୯ (ପ୍ରଫୁଲ୍ଲ ସାହୁ): କେସିଙ୍ଗା ବ୍ଲକ ଅଧୀନସ୍ଥ ଯଲକୋ ରେତ ନଦୀ ପ୍ରୋଜେକ୍ଟ ବ୍ରିଜ ନିକଟରେ ସ୍ନାନ କରୁଥିବା ବେଳେ ତିନି ଜଣ ବାଳକ ପାଣି ସ୍ରୋତରେ ଭାସିଯାଇ ଗୁରୁତର ଅବସ୍ଥାରେ ପଡ଼ିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଯଲକୋ ଗ୍ରାମର ତିନି ଜଣ ବାଳକ ରେତ ନଦୀ ପ୍ରୋଜେକ୍ଟ ବ୍ରିଜ ଉପରୁ ଡେଇଁ ଡେଇଁ ସ୍ନାନ କରୁଥିବା ସମୟରେ ହଠାତ୍ ପାଣିର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣା ସମ୍ପର୍କରେ ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇ କେସିଙ୍ଗା ତହସିଲଦାର, ପୋଲିସ ବିଭାଗ ଓ ରେସ୍କ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ପ୍ରୟାସ ପରେ ତିନି ଜଣ ବାଳକଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ତେବେ ତିନି ଜଣଙ୍କ ମଧ୍ୟରୁ ଜଣେ ବାଳକଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଜଣ ବାଳକ ବିପଦମୁକ୍ତ ଥିବା ସୂଚନା ମିଳିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଉଦ୍ଧାର ହୋଇଥିବା ତିନି ଜଣ ବାଳକ ଯଲକୋ ଗ୍ରାମର ବାସିନ୍ଦା। ଘଟଣା ପରେ ଅଞ୍ଚଳବାସୀ ନଦୀ ଓ ଜଳାଶୟ ନିକଟରେ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିବା ସହ ଅଭିଭାବକମାନଙ୍କୁ ନିଜ ସନ୍ତାନଙ୍କ ଉପରେ ଅଧିକ ନଜର ରଖିବାକୁ ଆହ୍ୱାନ କରିଛନ୍ତି।

Leave a Reply

Your email address will not be published. Required fields are marked *