ଲାଞ୍ଚ ମାମଲାରେ ପୂର୍ବତନ ଜିଆରଏସ୍ ସାନ୍ତନୁ ନାଗଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ

ଭବାନୀପାଟଣା : ୫/୧୧ (ସମୃଦ୍ଧି ଓଡିଶା ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ (ଜିଆରଏସ୍) ସାନ୍ତନୁ ନାଗଙ୍କୁ ଲାଞ୍ଚ ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ୦୪ ନଭେମ୍ବର ୨୦୨୬ ତାରିଖରେ ଭବାନୀପାଟଣା ସ୍ଥିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଏହି ରାୟ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ସାନ୍ତନୁ ନାଗ ମନରେଗା ଯୋଜନାରେ ଜଣେ ହିତାଧିକାରୀଙ୍କ ଜମିରେ ହୋଇଥିବା ଜମି ଉନ୍ନତିକରଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ମଷ୍ଟର ରୋଲ୍ ପ୍ରସ୍ତୁତ କରିବା ଏବଂ ମଜୁରି ଟଙ୍କା ଅନଲାଇନ୍ ମାଧ୍ୟମରେ ଶ୍ରମିକଙ୍କ ଖାତାକୁ ପଠାଇବା ପାଇଁ ହିତାଧିକାରୀଙ୍କଠାରୁ ଲାଞ୍ଚ ଦାବି କରିବା ସହ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ପରେ ଦୁର୍ନୀତି ନିବାରଣ ଆଇନ (ସଂଶୋଧିତ) ୨୦୧୮ର ଧାରା ୭ ଅନୁଯାୟୀ ସନ୍ତନୁ ନାଗଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ମାମଲାର ବିଚାର କରି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସାଧାରଣ କାରାଦଣ୍ଡ ସହ ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସନ୍ତନୁ ନାଗ ପୂର୍ବରୁ ଚାକିରିରୁ ବହିଷ୍କୃତ ହୋଇଥିଲେ। ଏହି ରାୟ ଦୁର୍ନୀତି ବିରୋଧୀ ଲଢ଼େଇରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *