କେସିଙ୍ଗା- ୨୬/୯ (ପ୍ରଫୁଲ୍ଲ ସାହୁ) କେସିଙ୍ଗା ସହରରେ ନୂଆଁଖାଇ ଭେଟଘାଟ ଅବସରରେ ଦେଖିବାକୁ ମିଳିଛି ଭାଇଚାରା ଓ ସଂସ୍କୃତିର ଅପୂର୍ବ ମିଳନ। ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ମିଳିତ ଆୟୋଜନରେ ଏକ ଭବ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସରିଯାଇଥିଲେ ମଧ୍ୟ ଭେଟଘାଟର ପରମ୍ପରା ଏବେ ବି ଜାରି ରହିଛି। ଗାଁଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ନୂଆଁଖାଇ ଭେଟଘାଟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ୱାଇବିପିଏସ୍ ସ୍କୁଲ ପରିସରରେ ଏକ ଭବ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ବିଏସଏର ସଭାପତି ସୁଶାନ୍ତ ମହାପାତ୍ର ଓ ବିଦ୍ୟାଳୟର ପ୍ରିନ୍ସିପାଲ ଦୀପ୍ତିରାଣୀ ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ୱାଇଁ, ନଗରପାଳ ନୃପରାଜ ଯାଦବ, ବିଦ୍ୟାଳୟର ଚେୟାରମ୍ୟାନ ରାମ କୁମାର ଜୈନ, ବିଏସଏର ସମ୍ପାଦକ ଅକ୍ଷୟ ଦାସ ଓ ଆଇନା ପତ୍ରିକାର ସମ୍ପାଦକ କ୍ଷେତ୍ରବାସୀ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେ କେସିଙ୍ଗା ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ସହରବାସୀଙ୍କୁ ବେଶ୍ ମନମୁଗ୍ଧ କରିଥିଲା। ନୂଆଁଖାଇ ଭେଟଘାଟ କେବଳ ଏକ ପର୍ବ ନୁହେଁ, ବରଂ ଭାଇଚାରା, ସଂସ୍କୃତି ଓ ସାମାଜିକ ସଦ୍ଭାବନାର ଏକ ମହାମିଳନ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଜ୍ଞାନେନ୍ଦ୍ର ଭୋଇ ସଫଳ ଭାବେ ମଞ୍ଚ ପରିଚାଳନା କରିଥିଲେ।
କେସିଙ୍ଗାରେ ନୂଆଁଖାଇ ଭେଟଘାଟ: କଳା, ସଂସ୍କୃତି ଓ ଭାଇଚାରାର ଅପୂର୍ବ ମିଳନ










Leave a Reply