ଅଳିଆ ଆବର୍ଜନାରେ ଭର୍ତ୍ତି କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ରୋଗୀଙ୍କ ସ୍ୱାସ୍ଥ୍ୟକୁ ବଢ଼ୁଛି ବିପଦ

କେସିଙ୍ଗା, ୩୧/୮: (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗତ ୧୫ ଦିନରୁ ଅଧିକ ସମୟ ଧରି ଅଳିଆ ଆବର୍ଜନା ଜମି ରହିଥିବାରୁ ରୋଗୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଳିଆ ଆବର୍ଜନା ଦୀର୍ଘଦିନ ଧରି ପଡ଼ି ରହିବା ଫଳରେ ଦୁର୍ଗନ୍ଧ ସୃଷ୍ଟି ହେଉଥିବା ସହ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି। ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ, ମେଡିକାଲ ପରିସରରେ ଜମିଥିବା ଅଳିଆ ଆବର୍ଜନା ସଫା କରିବା ପାଇଁ ମେଡିକାଲ ଅଧିକାରୀ ପକ୍ଷରୁ କେସିଙ୍ଗା ଏନଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ଶତାଧିକ ରୋଗୀ ଚିକିତ୍ସା ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବେଳେ ଅଳିଆ ଆବର୍ଜନାର ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶ ସେମାନଙ୍କୁ ଅସୁବିଧାରେ ପକାଉଛି। ବିଶେଷ କରି ଶିଶୁ, ବୃଦ୍ଧ ଓ ଗର୍ଭବତୀ ମହିଳାମାନେ ଏହି ଅସ୍ୱାସ୍ଥ୍ୟକର ପରିବେଶରେ ଅଧିକ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଅଳିଆ ଆବର୍ଜନା ଯୋଗୁଁ ମାଛି, ମଶା ଓ ଅନ୍ୟାନ୍ୟ କୀଟପତଙ୍ଗର ସଂଖ୍ୟା ବଢ଼ିଥିବାରୁ ରୋଗ ସଂକ୍ରମଣର ଭୟ ମଧ୍ୟ ସୃଷ୍ଟି ହୋଇଛି। ଏପଟେ ସରକାର ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଭଳି ଅବ୍ୟବସ୍ଥା ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠାଇଛି। ଜନସାଧାରଣଙ୍କ କହିବା ଅନୁସାରେ, ଯେଉଁ ସ୍ଥାନ ଲୋକଙ୍କୁ ସୁସ୍ଥ କରିବାର କେନ୍ଦ୍ର ହେବା କଥା, ସେଠାରେ ଯଦି ଅପରିଷ୍କାର ପରିବେଶ ରହେ, ତେବେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଆହୁରି ବିପଦଗ୍ରସ୍ତ ହୋଇପାରେ। ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅଳିଆ ଆବର୍ଜନା ଅପସାରଣ ସହ ସ୍ଥାୟୀ ପରିମଳ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *