କେସିଙ୍ଗା-୨୬/୧ ସମୃଦ୍ଧି ଓଡିଶା (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନବନିର୍ମିତ ଖେଳ ପଡିଆର ଆଜି ଭବ୍ୟ ଉଦ୍ଘାଟନ ହୋଇଛି। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସଭାପତିତ୍ୱ କରିଥିବା ବେଳେ ଉତ୍ସବରେ ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳ ପଡିଆକୁ ଉଦ୍ଘାଟନ କରିଛନ୍ତି।
ଉଦ୍ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସହ ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ। ଉଦ୍ଘାଟନ ପରେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗଣେଶଙ୍କ କାଠ ମୂର୍ତ୍ତିରେ ପୂଜାର୍ଚ୍ଚନା କରିଥିଲେ। ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ଏହାପରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସଭାରେ ଅତିଥିମାନେ ଖେଳ ପଡିଆର ଉନ୍ନତ ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ଉନ୍ନତିରେ ଏହାର ଗୁରୁତ୍ୱ ବିଷୟରେ ମତ ପ୍ରକାଶ କରିଥିଲେ। ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ କେସିଙ୍ଗା ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ନିକଟରେ ଦାବି ଉଠାଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା କହିଥିଲେ ଯେ ୨୦୨୦ ମସିହାରୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ଏହି ବିଦ୍ୟାଳୟକୁ ବିଭିନ୍ନ ବିକାଶ ଯୋଜନାରେ ସାମିଲ କରାଯାଇଛି ଏବଂ କ୍ରୀଡ଼ା କ୍ଷେତ୍ରରେ ଅନୁଦାନ ମିଳୁଛି। ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ, ଶିକ୍ଷା ହେଉଛି ମୂଳ ସମ୍ପତ୍ତି। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଶିକ୍ଷା ସହ କ୍ରୀଡ଼ା ଓ ପରିବେଶ ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ପ୍ରତ୍ୟେକ ପରିବାର ଗୋଟିଏ ଗଛ ଲଗାଇବାକୁ ସେ ଆହ୍ୱାନ ଦେଇଥିଲେ। ପରିଶେଷରେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ନବନିର୍ମିତ ଖେଳ ପଡିଆ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭା ବିକାଶରେ ମିଲ୍ସ୍ଟୋନ୍ ହେବ ବୋଲି ଆଶା ପ୍ରକାଶ ପାଇଛି।
କେସିଙ୍ଗାରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ନବନିର୍ମିତ ଖେଳ ପଡିଆ ଉଦ୍ଘାଟିତ











Leave a Reply