କେସିଙ୍ଗା-୨୭/୧ ସମୃଦ୍ଧି ଓଡିଶା (ପ୍ରଫୁଲ୍ଲ ସାହୁ) ଭାରତ ସାରା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ସହ ଅନ୍ୟାନ୍ୟ ସରକାରୀ ବ୍ୟାଙ୍କ କର୍ମଚାରୀମାନେ ନିଜ ଦାବିକୁ ନେଇ ଆନ୍ଦୋଳନ ଓ ଷ୍ଟ୍ରାଇକରେ ସାମିଲ ହୋଇଛନ୍ତି। ବ୍ୟାଙ୍କ କର୍ମଚାରୀମାନଙ୍କର ମୁଖ୍ୟ ଦାବି ହେଉଛି ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ ଓ ଦୁଇ ଦିନ ଛୁଟି ବ୍ୟବସ୍ଥା ଲାଗୁ କରାଯାଉ। ପୂର୍ବରୁ ମାସର ଦ୍ୱିତୀୟ ଓ ଶେଷ ଶନିବାର ଛୁଟି ରହୁଥିବା ବେଳେ, ବର୍ତ୍ତମାନ ପ୍ରତ୍ୟେକ ଶନିବାର ଓ ରବିବାର ଛୁଟି ଘୋଷଣା କରିବାକୁ କର୍ମଚାରୀମାନେ ଦାବି କରୁଛନ୍ତି।
ଏହି ଦାବିକୁ ନେଇ ହୋଇଥିବା ଷ୍ଟ୍ରାଇକର ପ୍ରଭାବ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହିତ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି କେସିଙ୍ଗା ଅଞ୍ଚଳର ଷ୍ଟେଟ ବ୍ୟାଙ୍କ ଶାଖାରେ ଏହାର ପ୍ରଭାବ ସ୍ପଷ୍ଟ ଭାବରେ ପଡ଼ିଛି। ଷ୍ଟ୍ରାଇକ କାରଣରୁ ବ୍ୟାଙ୍କରେ ସାଧାରଣ ଲେନଦେନ ବନ୍ଦ ରହିଥିବା ବେଳେ, ଗ୍ରାହକମାନେ ଭାରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ପ୍ରତିଦିନ ଭଳି ନିଜ କାମକାଜ ପାଇଁ ବ୍ୟାଙ୍କକୁ ଆସିଥିବା ଲୋକମାନେ ବ୍ୟାଙ୍କ ବନ୍ଦ ଥିବା ଦେଖି ନିରାଶ ହୋଇ ଫେରିଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଟଙ୍କା ଉଠାଣ, ଜମା, ପେନସନ ନେବା, ସରକାରୀ ଭତ୍ତା ଉଠାଣ, ଚେକ କ୍ଲିୟରେନ୍ସ ଭଳି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଛି। ବିଶେଷକରି ବୃଦ୍ଧ ବୟସ୍କ, ଚାଷୀ ଓ ଦିନମଜୁର ଶ୍ରେଣୀର ଲୋକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।
ଏନେଇ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ବ୍ୟାଙ୍କ କର୍ମଚାରୀଙ୍କ ଦାବି ଯୁକ୍ତିସଂଗତ ହେଲେ ମଧ୍ୟ ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ସରକାର ଗମ୍ଭୀରତାର ସହିତ ନେବା ଆବଶ୍ୟକ। ଦ୍ରୁତ ଭାବେ ସମାଧାନ ବାହାର କରି ବ୍ୟାଙ୍କ ସେବା ସାଧାରଣ କରାଯାଉ ବୋଲି ଲୋକମାନେ ଦାବି କରିଛନ୍ତି।
ବ୍ୟାଙ୍କ କର୍ମଚାରୀଙ୍କ ଷ୍ଟ୍ରାଇକ: କେସିଙ୍ଗାରେ ଗ୍ରାହକ ହେଲେ ହଇରାଣ











Leave a Reply