ମନ୍ତ୍ରୀଙ୍କ ଠାରୁ ସମ୍ମାନୀତ ହେଲେ ଧିରଜ ଅଗ୍ରୱାଲ

କେସିଙ୍ଗା, ୨୩/୨ (ପ୍ରଫୁଲ୍ଲ ସାହୁ): ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ନୂତନ ଭାବେ ପ୍ରକାଶ ପାଉଥିବା ଓଡ଼ିଆ ଡେଲି ନ୍ୟୁଜପେପର “ଅକ୍ଷର” ପକ୍ଷରୁ ଭୁବନେଶ୍ୱର ଠାରେ ଅକ୍ଷର ସାହିତ୍ୟ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ସାହିତ୍ୟ, ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେହି ପରିପ୍ରେକ୍ଷିତରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଯୁବ ସମାଜସେବୀ ଓ ଉଦ୍ୟୋଗୀ ଧିରାଜ ଅଗ୍ରୱାଲଙ୍କୁ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ହସ୍ତରୁ ଶ୍ରୀ ଅଗ୍ରୱାଲ ସମ୍ମାନ ପାଇଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଉଦ୍ୟମ, ସମାଜସେବା ଓ ଯୁବମାନଙ୍କ ପାଇଁ ପ୍ରେରଣାଦାୟକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଯୁବ ପିଢ଼ି ଯଦି ସମାଜ ପାଇଁ ଆଗକୁ ଆସେ, ତେବେ ରାଜ୍ୟର ଉନ୍ନତି ନିଶ୍ଚିତ ଭାବେ ସମ୍ଭବ। ଧିରାଜ ଅଗ୍ରୱାଲ କେସିଙ୍ଗା ଅଞ୍ଚଳରେ ଏକ ସଫଳ ଯୁବ ବ୍ୟବସାୟୀ ଭାବେ ପରିଚିତ। ବ୍ୟବସାୟ ସହ ସେ ସମାଜସେବାରେ ସଦା ସକ୍ରିୟ ରହିଛନ୍ତି। ଅନେକ ସାମାଜିକ କାର୍ଯ୍ୟକ୍ରମ, ଶିକ୍ଷା ସହାୟତା, ରକ୍ତଦାନ ଶିବିର ଓ ଦୁର୍ବଳ ଶ୍ରେଣୀଙ୍କୁ ସହଯୋଗ କରି ସେ ସ୍ଥାନୀୟ ଅଞ୍ଚଳରେ ନିଜସ୍ୱ ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସମ୍ମାନ ପ୍ରାପ୍ତି କେବଳ ତାଙ୍କ ପାଇଁ ନୁହେଁ, ସମଗ୍ର କେସିଙ୍ଗା ଅଞ୍ଚଳ ପାଇଁ ଗୌରବର ବିଷୟ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି। ସମ୍ମାନ ପାଇବା ପରେ ଶ୍ରୀ ଅଗ୍ରୱାଲ କହିଥିଲେ ଯେ, ଏହି ସମ୍ମାନ ତାଙ୍କୁ ଆହୁରି ଦାୟିତ୍ୱବାନ କରିଛି ଓ ଆଗାମୀ ଦିନରେ ସେ ସମାଜସେବା ଓ ଯୁବମାନଙ୍କ ସଶକ୍ତିକରଣ ପାଇଁ ଆହୁରି ନିଷ୍ଠାର ସହ କାମ କରିବେ। ସେ ଏହି ସମ୍ମାନକୁ ତାଙ୍କ ପରିବାର, ମିତ୍ରମାନେ ଓ କେସିଙ୍ଗାର ସମସ୍ତ ଜନସାଧାରଣଙ୍କୁ ଉତ୍ସର୍ଗ କରିଥିବା କହିଥିଲେ। ଉତ୍ସବରେ ରାଜ୍ୟର ବିଭିନ୍ନ ସାହିତ୍ୟିକ, ସାମ୍ବାଦିକ ଓ ଗଣମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ମାତୃଭାଷା ଦିବସର ଅବସରରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଆଲୋଚନା ଓ ସାହିତ୍ୟିକ କାର୍ଯ୍ୟକ୍ରମମାନେ ଆୟୋଜିତ ହୋଇଥିଲା। “ଅକ୍ଷର” ପକ୍ଷରୁ ଏପରି ପ୍ରୟାସକୁ ଅନେକେ ସ୍ୱାଗତ କରିଥିଲେ। ଧିରାଜ ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଥିବା ଖବର କେସିଙ୍ଗା ପହଞ୍ଚିବା ସହିତ ତାଙ୍କ ପରିବାର ଓ ସ୍ନେହୀଜନମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଫୁଲମାଳା ଓ ଅଭିନନ୍ଦନ ସହ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖୁସିର ମାହଳ ଦେଖିବାକୁ ମିଳିଥିଲା। ଯୁବମାନଙ୍କ ମଧ୍ୟରେ ମଧ୍ୟ ଏହି ସମ୍ମାନ ନୂତନ ଉତ୍ସାହ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *