କାଣ୍ଡେଳର ଦୋଳ ମହୋତ୍ସବ ଉଦଯାପିତ

କେସିଙ୍ଗା ୩/୨ (ପ୍ରଫୁଲ୍ଲ ସାହୁ)କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ହାଇ ସ୍କୁଲ ଖେଳ ପଡିଆରେ ପାଞ୍ଚଦିନିଆ ଦୋଳ ମହୋତ୍ସବ ସୋମବାର ଦିନ ଧୁମଧାମରେ ଉଦଯାପିତ ହୋଇଯାଇଛି। ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବର ଆରମ୍ଭ ଗତ ୨୬ ତାରିଖରେ ହୋଇଥିଲା। ଶତାଧିକ ମହିଳା ଦେହରେନ ଝରଣାରୁ ପବିତ୍ର ଜଳ ଆଣି କଳସ ଯାତ୍ରା କରି ପୂଜା ମଣ୍ଡପରେ ସ୍ଥାପନା କରିଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା ସହ ମହୋତ୍ସବ ଆରମ୍ଭ ହୋଇଥିଲା।
ଏହି ଅବସରରେ ସଭାପତି ଦୁର୍ଯ୍ୟୋଧନ ବାଗ, ସମ୍ପାଦକ ବିକ୍ରମ ଗୌଡ଼, କୋଷାଧ୍ୟକ୍ଷ ରୋହିତ କୁମାର ନାଏକ, ମୁଖ୍ୟ ଉପଦେଷ୍ଟା ତ୍ରିପୁରା ନାଏକଙ୍କ ସହ ରମାକାନ୍ତ ଗୌଡ଼, ଦାମୋଦର ଗୌଡ଼, ଦୀନବନ୍ଧୁ ଗୌଡ଼, ଉପେନ୍ଦ୍ର ଗୌଡ଼ ଓ କମିଟିର ସମସ୍ତ ସଦସ୍ୟ ମିଶି ଉତ୍ସବକୁ ସଫଳ କରିଥିଲେ। ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଓ ଭକ୍ତମାନଙ୍କ ଭାଗୀଦାରି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।
ଦୀର୍ଘ ୨୦ ବର୍ଷ ଧରି ଏହି ଦୋଳ ମହୋତ୍ସବ ପାଳିତ ହୋଇଆସୁଥିବାବେଳେ ଚଳିତ ବର୍ଷ ଏହା ବହୁତ ଆଡମ୍ବର ଓ ଆନନ୍ଦୋତ୍ସାହରେ ଆୟୋଜିତ ହୋଇଥିଲା। ପାଞ୍ଚ ଦିନ ଧରି କଂସ ଦରବାର ଓ ମିନା ବଜାର ଲୋକଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା। ଆର୍କେଷ୍ଟ୍ରା, ଓଡ଼ିଶୀ ନୃତ୍ୟ, ବଜସାଲ, ଛଉ ନୃତ୍ୟ ତଥା ବିଭିନ୍ନ ସାମ୍ପ୍ରଦାୟିକ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ବିଶେଷ କରି କଂସ ଦରବାର ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ଭିଡ଼ ଲକ୍ଷ୍ୟ କରାଯାଇଥିଲା।
ଏହି ଅଞ୍ଚଳରେ ପ୍ରଥମ ଥର ପାଇଁ ଏପରି ବିସ୍ତୃତ ଆକାରରେ ଦୋଳ ମହୋତ୍ସବ ଆୟୋଜିତ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ଉତ୍ସବଟି ଗ୍ରାମୀଣ ସଂସ୍କୃତି ଓ ଏକତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଭାବେ ପ୍ରତିଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *