କେସିଙ୍ଗା ଥାନା ନୂତନ ଗୃହ ଉଦ୍ଘାଟିତ

କେସିଙ୍ଗା, ୬/୩ (ପ୍ରଫୁଲ୍ଲ ସାହୁ): କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଆଦର୍ଶ ଥାନାର ନୂତନ ଗୃହ ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କମ୍ପରେନ୍ସ ମାଧ୍ୟମରେ ଉଦ୍ଘାଟନ ହୋଇଛି। ଗୃହ ଓ ସମବାୟ ମନ୍ତ୍ରୀ ଅମିତ ସାହାଙ୍କ କରକମଳରେ ନବନିର୍ମିତ ଏହି ଥାନା ଗୃହର ଉଦ୍ଘାଟନ କରାଯାଇଥିଲା। ଦୀର୍ଘଦିନର ପ୍ରତୀକ୍ଷା ପରେ ଏହି ନୂତନ ଭବନ ଲୋକସେବା ପାଇଁ ଉପଲବ୍ଧ ହେବାରୁ ଅଞ୍ଚଳବାସୀ ମଧ୍ୟରେ ଖୁସିର ମହଳ ଦେଖାଯାଇଛି।
ଦୀର୍ଘଦିନ ଧରି କେସିଙ୍ଗା ଥାନା ପୁରୁଣା ଓ ସୀମିତ ସୁବିଧା ସହିତ କାର୍ଯ୍ୟ କରୁଥିଲା। ବୃଦ୍ଧିଶୀଳ ଜନସଂଖ୍ୟା ଓ ଆଇନ-ଶୃଙ୍ଖଳା ସମ୍ବନ୍ଧୀୟ କାର୍ଯ୍ୟର ପରିଧି ବଢ଼ିବା ସହିତ ଏକ ଆଧୁନିକ ଓ ସୁବିଧାସମ୍ପନ୍ନ ଥାନା ଭବନର ଆବଶ୍ୟକତା ଅନୁଭବ ହେଉଥିଲା। ଏହି ପରିପ୍ରେକ୍ଷିତରେ ନବନିର୍ମିତ ଆଦର୍ଶ ଥାନା ଗୃହ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ପୋଲିସ ସେବା ପ୍ରଦାନ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ଉଦ୍ଘାଟନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ, କେସିଙ୍ଗା ଏନଏସି ଚ୍ୟାରମେନ ନୃପରାଜ ଯାଦବ ଓ କେସିଙ୍ଗା ବ୍ଲକ ଚ୍ୟାରମେନ ଚନ୍ଦନ କୁମାର ସେନାପତି ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ନୂତନ ଥାନା ଗୃହ ଆରମ୍ଭ ହେବାରେ ଅଞ୍ଚଳରେ ଆଇନ-ଶୃଙ୍ଖଳା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବ ବୋଲି ମତ ରଖିଥିଲେ। ଏହି ଅବସରରେ କେସିଙ୍ଗା ଥାନାର ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ୱାଳ ସହିତ ଏସଆଇ ଅରଖିତ ମାଝୀ, ରାଜେଶ ପରିଡା, ରସବିହାରୀ ସା ଓ ରେଣୁକା କ୍ଷେଥ ଉପସ୍ଥିତ ଥିଲେ। ସେହିପରି ଧନେଶ୍ୱର ସୁନାନୀ, ଶାନ୍ତିଲତା ବାରିକ ସହ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ନୂତନ ଥାନା ଗୃହ ଆରମ୍ଭ ହେବାରୁ ଲୋକମାନଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ଆହୁରି ସୁବିଧାଜନକ ଭାବେ କରାଯିବ ବୋଲି ସ୍ଥାନୀୟ ଅଧିକାରୀମାନେ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *