କାଣ୍ଡେଲ ପ୍ରାଥମିକ ଚିକିତ୍ସାଳୟ କୁ ଯିବାପାଇଁ ରାସ୍ତାନାହିଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ

କେସିଙ୍ଗା-୬/୩ (ପ୍ରଫୁଲ୍ଲ ସାହୁ) କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପ୍ରାଥମିକ ଚିକିତ୍ସାଳୟକୁ ଯିବା ପାଇଁ ସରକାରୀ ରାସ୍ତା ନଥିବା ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଛି। ଚିକିତ୍ସାଳୟକୁ ଯାଇଥିବା ପୁରୁଣା ସରକାରୀ ରାସ୍ତା ଉପରେ କିଛି ଲୋକ ଜବରଦଖଲ କରି ଘର ନିର୍ମାଣ କରିଥିବା ଅଭିଯୋଗ ଆସିଛି। ଏହା ଫଳରେ ରାସ୍ତା ନିର୍ମାଣ କାମ ଓ ରୋଗୀମାନଙ୍କ ଯାତାୟାତରେ ବଡ଼ ବାଧା ସୃଷ୍ଟି ହେଉଛି। ଗାଁର ଲୋକମାନଙ୍କ କହିବା ଅନୁଯାୟୀ, ଚିକିତ୍ସାଳୟକୁ ଯିବା ପାଇଁ ଲୋକମାନେ ବର୍ତ୍ତମାନ ଜଣେ ବ୍ୟକ୍ତିଗତ ଜମିର ରାସ୍ତା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଜରୁରୀ ସମୟରେ ରୋଗୀମାନଙ୍କୁ ଚିକିତ୍ସାଳୟକୁ ନେବାରେ ବହୁତ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି। ଏହି ସମସ୍ୟାକୁ ନେଇ ଗ୍ରାମବାସୀମାନେ ପୂର୍ବରୁ କେସିଙ୍ଗା ତହସିଲଦାରଙ୍କ ପାଖରେ ଅଭିଯୋଗ କରିଥିଲେ।
ଏହା ସମ୍ପର୍କରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ କହିଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଲିଖିତ ଭାବରେ କୌଣସି ଅଭିଯୋଗ ମିଳିନାହିଁ। ତଥାପି ଏହି ସମସ୍ୟା ନେଇ କଳାହାଣ୍ଡି ସିଡିଏମଓ ଓ ଡିପିଏମଙ୍କୁ ଦୃଷ୍ଟିଆକର୍ଷଣ କରାଯାଇଥିଲା। ପରେ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ପକ୍ଷରୁ ରାସ୍ତାକୁ ଡିମାରକେସନ କରି ଜବରଦଖଲ ହଟାଇ ରାସ୍ତାକୁ ସୁରକ୍ଷିତ କରିବା ପାଇଁ ଉପଜିଲ୍ଲାପାଳ, ଏଡିଏମ ଓ କେସିଙ୍ଗା ତହସିଲଦାରଙ୍କୁ ଚିଠି ଲେଖାଯାଇଛି।
ଗ୍ରାମବାସୀମାନେ କହିଛନ୍ତି ଯେ, ଶୀଘ୍ର ରାସ୍ତାର ଡିମାରକେସନ କରି ଜବରଦଖଲ ହଟାଯାଉ ଏବଂ ଚିକିତ୍ସାଳୟକୁ ଯିବା ପାଇଁ ସରକାରୀ ରାସ୍ତା ଚାଲୁ କରାଯାଉ। ଯାହାଫଳରେ ଆଗାମୀ ଦିନରେ ରୋଗୀମାନେ ଓ ଗ୍ରାମବାସୀମାନେ ଚିକିତ୍ସାଳୟକୁ ଯାତାୟାତ କରିବା ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ।

Leave a Reply

Your email address will not be published. Required fields are marked *