ରବିଧାନ ଉଠାଣରେ ବିଳମ୍ବ: କେସିଙ୍ଗା ମଣ୍ଡିରେ ଚାଷୀଙ୍କ ଅସନ୍ତୋଷ, ଜାତୀୟ ରାଜପଥ ଅବରୋଧ ଚେତାବନୀ

କେସିଙ୍ଗା, ୧୩/୬:ସମୃଦ୍ଧି ଓଡିଶା (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଣ୍ଡିରେ ରବିଧାନ ଉଠାଣରେ ଦୀର୍ଘଦିନ ଧରି ବିଳମ୍ବ ହେଉଥିବାରୁ ଲଇତରା ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରି ତୁରନ୍ତ ସମାଧାନ ଦାବି କରିଛନ୍ତି। ମଣ୍ଡିରେ ବହୁ ପରିମାଣର ଧାନ ଦୀର୍ଘଦିନ ଧରି ପଡ଼ି ରହିଥିବା ବେଳେ ଅସମୟ ବର୍ଷା ଓ କାଳବୈଶାଖୀ ଆଶଙ୍କା ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।
ଚାଷୀମାନଙ୍କ କହିବା ଅନୁଯାୟୀ, ଟୋକନ ପାଇବା ପରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଧାନ ଉଠାଣ ହେଉନାହିଁ। ଫଳରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡ଼ି ରହିଛି। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହେବାକୁ ଥିବାରୁ ଧାନ ଭିଜି ନଷ୍ଟ ହେବାର ଭୟ ଚାଷୀମାନଙ୍କୁ ଘାରିଛି। ଧାନ ନଷ୍ଟ ହେଲେ ସେମାନଙ୍କର ବର୍ଷକର ପରିଶ୍ରମ ଓ ଆର୍ଥିକ ସ୍ଥିତି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଏହି ସମସ୍ୟା ପ୍ରତି ମିଲର, ସମବାୟ ସମିତି ଏବଂ ଯୋଗାଣ ବିଭାଗର କୌଣସି ଅଧିକାରୀ ଗୁରୁତ୍ୱ ଦେଉନାହାନ୍ତି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ସମାଧାନ ହୋଇନଥିବାରୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ସରକାରୀ ସହାୟକ ମୂଲ୍ୟରେ ଧାନ ବିକ୍ରି କରିବା ଆଶାରେ ଥିବା ଚାଷୀମାନେ ଶେଷରେ ଦଲାଲଙ୍କ ଶରଣାପନ୍ନ ହେବାକୁ ବାଧ୍ୟ ହେଉଛନ୍ତି। ଦଲାଲମାନେ କ୍ୱିଣ୍ଟାଲ ପ୍ରତି ୧୮୦୦ରୁ ୧୯୦୦ ଟଙ୍କା ଦରରେ ଧାନ କିଣୁଥିବାରୁ ଚାଷୀମାନେ ଆର୍ଥିକ କ୍ଷତି ସହୁଛନ୍ତି।
ଅନ୍ୟପଟେ, କେତେକ ଚାଷୀ ନିଜ ଖର୍ଚ୍ଚରେ ଧାନ ମିଲକୁ ନେଉଥିଲେ ମଧ୍ୟ ସେଠାରେ ୨ରୁ ୪ ଦିନ ପର୍ଯ୍ୟନ୍ତ ଗାଡ଼ି ନମ୍ବର ଲାଗିବାକୁ ପଡ଼ୁଛି। ଏଥିଯୋଗୁଁ ପରିବହନ ଖର୍ଚ୍ଚ ବଢ଼ିବା ସହ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୀଘ୍ର ଧାନ ଉଠାଣ ବ୍ୟବସ୍ଥା କରିବା ସହ ସମ୍ପୃକ୍ତ ଅଧିକାରୀମାନେ ମଣ୍ଡି ପରିସ୍ଥିତିର ସମୀକ୍ଷା କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ଲଇତରା ପାଣି ପଞ୍ଚାୟତର ସଭ୍ୟମାନେ କହିଛନ୍ତି ଯେ, ଯଦି ଖୁବଶୀଘ୍ର ଧାନ ଉଠାଣ ସମସ୍ୟାର ସମାଧାନ ନହୁଏ, ତେବେ ସେମାନେ ବାଧ୍ୟ ହୋଇ ଆନ୍ଦୋଳନର ପଥ ବାଛିବେ। ପ୍ରୟୋଜନ ପଡ଼ିଲେ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଚାଷୀମାନଙ୍କ ଏହି ଚେତାବନୀ ପରେ ପ୍ରଶାସନ ଏବଂ ସମ୍ପୃକ୍ତ ବିଭାଗ କେତେ ଶୀଘ୍ର ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *