୨ ବର୍ଷ ହେଲା ବସିପାରିଲା ନାହିଁ ୨୪ଟି ସିଣ୍ଟେକ୍ସ : ପାଣି ପାଇଁ ହାହାକାର, ଦାୟୀ କିଏ?

କେସିଙ୍ଗା, ୧୪/୬ ସମୃଦ୍ଧି ଓଡିଶା (ପ୍ରଫୁଲ୍ଲ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମ ପଞ୍ଚାୟତ ପାଇଁ ୨୦୨୪ ମସିହାରେ ଆସିଥିବା ୨୪ଟି ସିଣ୍ଟେକ୍ସ ଟାଙ୍କି ଆଜି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସରପଞ୍ଚ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ଅନୁଯାୟୀ, ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଓ ସାପ୍ତାହିକ ବଜାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ୨୪ଟି ସିଣ୍ଟେକ୍ସ ଟାଙ୍କି ଯୋଗାଇ ଦିଆଯାଇଥିଲା। ସେଥିପାଇଁ ଚାନ୍ଦିନୀ ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିନ୍ତୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ଏହି ସିଣ୍ଟେକ୍ସ ଟାଙ୍କି ସ୍ଥାପନ କରାଯାଇନାହିଁ।
ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନୱାଡି କେନ୍ଦ୍ରର ଶିଶୁ ଏବଂ ବଜାରକୁ ଆସୁଥିବା ସାଧାରଣ ଲୋକେ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗ୍ରୀଷ୍ମ ଋତୁରେ ଜଳ ସଙ୍କଟ ଯୋଗୁଁ ଲୋକମାନେ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି।
ଏନେଇ ପରଲସିଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଶ୍ନ ଉଠାଇଛନ୍ତି ଯେ, “୨୦୨୪ ମସିହାରେ ପଞ୍ଚାୟତ ପାଇଁ ଆସିଥିବା ୨୪ଟି ସିଣ୍ଟେକ୍ସ ଟାଙ୍କି ବର୍ତ୍ତମାନ କେଉଁଠି ରହିଛି? ଯଦି ଟାଙ୍କି ଆସିଥିଲା, ତେବେ କାହିଁକି ସେଗୁଡିକୁ ସ୍ଥାପନ କରାଗଲା ନାହିଁ? ଏଥିପାଇଁ କିଏ ଦାୟୀ?” ସରପଞ୍ଚଙ୍କ ଏହି ପ୍ରଶ୍ନ ସହ ଗ୍ରାମବାସୀମାନେ ମଧ୍ୟ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଭଳି ଅବହେଳା ଓ ପ୍ରଶାସନିକ ଅନିୟମିତତା ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରୁଛି। ଯଦି ପ୍ରକଳ୍ପ ପାଇଁ ଆସିଥିବା ସାମଗ୍ରୀ ସଠିକ୍ ଭାବେ ବ୍ୟବହାର ହୋଇନଥାଏ, ତେବେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ପୃକ୍ତ ବିଭାଗ ଓ ଅଧିକାରୀଙ୍କ ଉପରେ ରହିବ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଘଟଣାକୁ ନେଇ ସ୍ଥାନୀୟ ଲୋକେ ତୁରନ୍ତ ତଦନ୍ତ ସହ ସିଣ୍ଟେକ୍ସ ଟାଙ୍କିଗୁଡିକର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ରକାଶ କରିବା ଏବଂ ଯଥାଶୀଘ୍ର ସ୍ଥାପନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *