ଜର୍ଣାଲିଷ୍ଟ ଆସୋସିଏସନ୍‌ର କର୍ମକର୍ତ୍ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଜର୍ଣାଲିଷ୍ଟ ଆସୋସିଏସନ୍‌ର ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଅବସରରେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି ସାମ୍ବାଦିକମାନଙ୍କୁ ସତ୍ୟ ଘଟଣାକୁ ନିର୍ଭୀକ ଭାବେ ଲୋକଲୋଚନକୁ ଆଣିବା ପାଇଁ ଆହ୍ୱାନ ଦେଇଛନ୍ତି। କେସିଙ୍ଗା ସ୍ଥିତ ଆର୍‌ଏମ୍‌ସି ସଭାଗୃହରେ ଜର୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ନୃପରାଜ ସାହୁଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତାଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା ସମାରୋହ–୨୬ ଅନୁଷ୍ଠିତ ହୋଇଥିଲା। ସମାରୋହ ଆରମ୍ଭରେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଓ ପୂଜାର୍ଚ୍ଚନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ନର୍ଲା ବିଧାୟିକା ମନୋରମା ମହାନ୍ତି ସାମ୍ବାଦିକଙ୍କ ଲେଖନୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସାମ୍ବାଦିକମାନେ କୌଣସି ଚାପରେ ବଶବର୍ତ୍ତୀ ନ ହୋଇ ସତ୍ୟ ଘଟଣାକୁ ନିର୍ଭୀକ ଭାବେ ଲୋକଲୋଚନକୁ ଆଣିବା ଆବଶ୍ୟକ। ଏହା ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ସମାଜରେ ସ୍ୱଚ୍ଛତା ଓ ଜବାବଦେହିତାକୁ ବୃଦ୍ଧି କରିଥାଏ।ସମାରୋହରେ ସିଟିଜେନ୍ ଫୋରମ୍‌ର ସଭାପତି ଡ଼. ହେମ ସାଗର ସାହା, ଅବସରପ୍ରାପ୍ତ ଅଧ୍ୟାପକ ବି. ଚନ୍ଦ୍ରଶେଖର ଅଚାରି, କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବ ଏବଂ ଆଇନଜୀବୀ ତଥା ପରାମର୍ଶଦାତା ନବୀନ କିଶୋର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତାର ଭୂମିକା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ନିଜ ମତ ରଖିଥିଲେ।ଏହି ଅବସରରେ ଆସୋସିଏସନ୍‌ର ନୂତନ ଉପଦେଷ୍ଟା ଓ କର୍ମକର୍ତ୍ତାମାନଙ୍କ ମଧ୍ୟରେ ନଳିନୀ ପଟ୍ଟନାୟକ, ବିନୋଦ ଜୈନ, ରୋହିତ ସାହୁ, ଫିରୋଜ ଦାସ, ସୁଜୟ ଲଙ୍ଗଲତି ଓ ପ୍ରଫୁଲ୍ଲ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହ ସାମ୍ବାଦିକ ଦୟା ସୁନାନୀ, ମଧୁ ସିନ୍ଦୂର, ଦୈଦ୍ୟରାଜ ସଦାନନ୍ଦ ପଟେଲ ଓ ଡ଼. ମକଲିଙ୍ଗ ଗହିରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।କୋଷାଧ୍ୟକ୍ଷ ପ୍ରଫୁଲ୍ଲ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ରୋହିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *