କେସିଙ୍ଗା OPTCL ମାଉସୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

କେସିଙ୍ଗା, ୧୯/୭ (ପ୍ରଫୁଲ୍ଲ ସାହୁ): ପବିତ୍ର ରଥଯାତ୍ରା ଅବସରରେ କେସିଙ୍ଗା ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। କେସିଙ୍ଗା କାଳୀ ମନ୍ଦିର ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ OPTCL ମାଉସୀ ମନ୍ଦିରକୁ ବିଜେ କରିବା ପରେ ସେଠାରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି। ଦର୍ଶନ ସହିତ ଭକ୍ତମାନେ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରି ଧନ୍ୟ ମନେ କରୁଛନ୍ତି। ଗୁଣ୍ଡିଚା ରଥଯାତ୍ରା ଠାରୁ ବାହୁଡା ରଥଯାତ୍ରା ପର୍ଯ୍ୟନ୍ତ ପ୍ରତିଦିନ ମାଉସୀ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁମାନଙ୍କ ପାଇଁ ନିଶୁଳ୍କ ମହାପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଛି। ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଶୃଙ୍ଖଳାର ସହ ଦର୍ଶନ କରିବା ସହ ମହାପ୍ରସାଦ ଗ୍ରହଣ କରୁଛନ୍ତି। ଏହି ସେବା କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକମାନେ ବେଶ୍ ପ୍ରଶଂସା କରିଛନ୍ତି। OPTCL ମାଉସୀ ମନ୍ଦିରରେ ରଥଯାତ୍ରା ପାଳନର ପରମ୍ପରା ଦୀର୍ଘ ୨୧ ବର୍ଷ ଧରି ଅବ୍ୟାହତ ରହିଆସିଛି। ୨୦୦୬ ମସିହାରେ OPTCL ଏବଂ କୋଣାର୍କ ସ୍ପିନିଂ ମିଲର ଆନୁକୂଲ୍ୟରେ ଏହି ଧାର୍ମିକ ପରମ୍ପରାର ଶୁଭାରମ୍ଭ ହୋଇଥିଲା। ସେହି ଦିନଠାରୁ ପ୍ରତିବର୍ଷ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ଉତ୍ସବ ପାଳନ ହୋଇ ଆସୁଛି। ଏହା କେସିଙ୍ଗା ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ ଆୟୋଜନ ଭାବେ ପରିଚିତି ଲାଭ କରିଛି।
ଏହି ଆୟୋଜନକୁ ସଫଳ କରିବାରେ ଜଗନ୍ନାଥ ପୂଜା କମିଟି, ୱାର୍ଡ ନଂ–୧୦ର ସଭାପତି ନାରାୟଣ ସିଂହ, ଉପସଭାପତି ପଶ୍ରୁରାମ ମହାନ୍ତି, ପୂଜକ ସୁଶୀଲ କୁମାର ଦାସଙ୍କ ସମେତ ମୁକୁନ୍ଦ ମାଝୀ, ରାକେଶ ବାଗ, ଅକ୍ଷୟ କୁମାର ସାହୁ, ସଂକୀର୍ତନ ପାଣିଗ୍ରାହୀ, ଝାରୁ ପ୍ରସାଦ ବଘାର ଏବଂ ପୂଜା କମିଟିର ସମସ୍ତ ସଦସ୍ୟ ନିଷ୍ଠାର ସହ ସହଯୋଗ କରୁଛନ୍ତି। ସେମାନଙ୍କ ମିଳିତ ପ୍ରୟାସ ଯୋଗୁଁ ପ୍ରତିବର୍ଷ ଏହି ଉତ୍ସବ ସୁଚାରୁ ରୂପେ ସମ୍ପନ୍ନ ହୋଇଆସୁଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆନନ୍ଦ ଓ ଭକ୍ତିଭାବର ପରିବେଶ ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *