କେସିଙ୍ଗା, ୨୧/୭ (ପ୍ରଫୁଲ୍ଲ ସାହୁ):
କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରର ୩ ନମ୍ବର ୱାର୍ଡରେ ଘଟିଥିବା ଏକ ବଡ ଧରଣର ଚୋରି ଘଟଣା ଅଞ୍ଚଳରେ ଚଞ୍ଚଳ୍ୟ ସୃଷ୍ଟି କରିଛି। ପୁନମ ଚାନ୍ଦ ଜୈନଙ୍କ ଘରୁ ସୁନା ଗହଣା, ନଗଦ ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ଆକଳନ ଅନୁଯାୟୀ, ଚୋରି ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ପୁନମ ଚାନ୍ଦ ଜୈନ ଓ ତାଙ୍କ ପରିବାର କୌଣସି କାର୍ଯ୍ୟ ରେ ବାହାରକୁ ଯାଇଥିଲେ। ଏହି ସୁଯୋଗକୁ ନେଇ ଚୋରମାନେ ସୋମବାର ରାତିରେ ଘରର ମୁଖ୍ୟ ଗେଟର ତାଲା କାଟି ଭିତରକୁ ପ୍ରବେଶ କରିଥିଲେ। ପରେ ସେମାନେ ଘର ଭିତରୁ ସୁନା ଗହଣା, ନଗଦ ଟଙ୍କା ସହ ବିଭିନ୍ନ ମୂଲ୍ୟବାନ ଜିନିଷପତ୍ର ନେଇ ଫେରାର ହୋଇଯାଇଥିଲେ। ଘଟଣାର ପରଦିନ ସକାଳେ ଜଣେ ପଡ଼ୋଶୀ ଘରର ଗେଟ ଖୋଲା ଥିବା ଦେଖି ସନ୍ଦେହ କରିଥିଲେ। ସେ ତୁରନ୍ତ ଘର ମାଲିକ ପୁନମ ଚାନ୍ଦ ଜୈନଙ୍କୁ ଖବର ଦେଇଥିଲେ। ପରେ ଘର ମାଲିକ ଘରକୁ ଫେରି ଚୋରି ଘଟିଥିବା ନିଶ୍ଚିତ କରି କେସିଙ୍ଗା ଆଦର୍ଶ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ କେସିଙ୍ଗା ଆଦର୍ଶ ଥାନାର ଆଇଆଇସି, ଏସଡିପିଓ ଓ ପୋଲିସର ସନ୍ଧାନୀ କୁକୁର ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଘର ପରିସରରୁ ଗନ୍ଧ ଧରି ୩ ନମ୍ବର ୱାର୍ଡର ବିଭିନ୍ନ ଗଳିକନ୍ଦି ଦେଇ ଆମ୍ବଜୀ ମନ୍ଦିର ଅଞ୍ଚଳ ପର୍ଯ୍ୟନ୍ତ ଯାଇଥିଲା। ପରେ ସେଠାରୁ ରେଳ ଷ୍ଟେସନ ଦିଗକୁ ଗତି କରିଥିବା ଜଣାପଡ଼ିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚୋରମାନେ ଚୋରି କରିବା ପରେ ରେଳ ଷ୍ଟେସନକୁ ପହଞ୍ଚି ଟ୍ରେନ ଯୋଗେ ଫେରାର ହୋଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ଆସପାସ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିଛି। ଏହି ବଡ ଧରଣର ଚୋରି ଘଟଣା ପରେ କେସିଙ୍ଗା ସହରବାସୀଙ୍କ ମଧ୍ୟରେ ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ପୋଲିସ ଶୀଘ୍ର ଚୋରମାନଙ୍କୁ ଚିହ୍ନଟ କରି ଗିରଫ କରିବ ବୋଲି ଆଶା କରାଯାଉଛି।
କେସିଙ୍ଗାରେ ବଡ ଧରଣର ଚୋରି : ସନ୍ଧାନୀ କୁକୁର ସହ ପୋଲିସର ତଦନ୍ତ ଜୋରଦାର











Leave a Reply