କେସିଙ୍ଗା:- (ସମୃଦ୍ଧି ଓଡିଶା ) ପ୍ରଫୁଲ୍ଲ ସାହୁ -କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା BSNL କାର୍ଯ୍ୟାଳୟ ଏବେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ଜଙ୍ଗଲ ଭଳି ଅବସ୍ଥା ସୃଷ୍ଟି ହୋଇଥିବାବେଳେ, ରାତି ସମୟରେ ଆଲୋକର ଅଭାବ ଯୋଗୁଁ ଅଞ୍ଚଳଟି ଅନ୍ଧାରରେ ରହୁଥିବା ଅଭିଯୋଗ ହେଉଛି। ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଭୟଭୀତ ହେଉଥିବା କହିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟାଳୟଟି ଜଣେ ଆକାଉଣ୍ଟାଣ୍ଟଙ୍କ ଭରସାରେ ଚାଲିଥିବାବେଳେ ଅନ୍ୟ ଆବଶ୍ୟକୀୟ କର୍ମଚାରୀ ନିୟୋଜିତ ନାହାନ୍ତି। କାର୍ଯ୍ୟାଳୟରେ କମ୍ପ୍ୟୁଟର ଓ ପ୍ରିଣ୍ଟର ଭଳି ଉପକରଣ ରହିଥିଲେ ମଧ୍ୟ ସେଗୁଡ଼ିକ ଅଚଳ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଏହା ଯୋଗୁଁ ଗ୍ରାହକମାନେ ନିଜ ସମସ୍ୟା ନେଇ କାର୍ଯ୍ୟାଳୟକୁ ଆସିଲେ ମଧ୍ୟ ଆବଶ୍ୟକ ସେବା ଓ ସହଯୋଗ ପାଇବାରେ ଅସୁବିଧା ଭୋଗୁଥିବା କହିଛନ୍ତି।
କାର୍ଯ୍ୟାଳୟର କୋଠା ରହିଥିଲେ ମଧ୍ୟ ନିୟମିତ ରକ୍ଷଣାବେକ୍ଷଣ ଅଭାବରୁ ଏହା ଧୀରେ ଧୀରେ ଏକ ‘ଭୂତକୋଠି’ର ରୂପ ନେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, କେସିଙ୍ଗା ଅଞ୍ଚଳରେ BSNL ନେଟୱାର୍କ ଓ ଭଏସ୍ କଲ୍ ସେବାରେ ବିଭିନ୍ନ ସମସ୍ୟା ଦେଖାଦେଉଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ସମସ୍ୟାର ସମାଧାନ ପାଇଁ କାର୍ଯ୍ୟାଳୟକୁ ଆସିଲେ ମଧ୍ୟ କର୍ମଚାରୀ ନଥିବାରୁ ଅଭିଯୋଗ ଜଣାଇବାରେ ସମସ୍ୟା ହେଉଛି। ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟ୍, ମୋବାଇଲ୍ ଓ ସୋସିଆଲ ମିଡିଆ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଂଶ ପାଲଟିଥିବାବେଳେ, ଏଭଳି ଅବସ୍ଥାରେ ଏକ ସରକାରୀ ଟେଲିକମ୍ କାର୍ଯ୍ୟାଳୟ ଚାଲିବା ନେଇ ପ୍ରଶ୍ନ ଉଠିଛି। BSNL କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାଳୟର ରକ୍ଷଣାବେକ୍ଷଣ, ଆବଶ୍ୟକ କର୍ମଚାରୀ ନିୟୋଜନ, ଯନ୍ତ୍ରପାତି ସଚଳ କରିବା ସହ କେସିଙ୍ଗା ଅଞ୍ଚଳର ନେଟୱାର୍କ ଓ ଭଏସ୍ କଲ୍ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଜଙ୍ଗଲ ଘେରା ପରିବେଶ, କର୍ମଚାରୀ ଅଭାବ; ନେଟୱାର୍କ ସମସ୍ୟା ନେଇ ଗ୍ରାହକ ହନ୍ତସନ୍ତ











Leave a Reply