କେସିଙ୍ଗା-୧୦/୮ (ସମୃଦ୍ଧି ଓଡିଶା) କେସିଙ୍ଗା ସହରରେ ପୁଣି ଏକ ବଡ଼ ଧରଣର ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟ। ଘରେ କେହି ନଥିବାର ସୁଯୋଗ ନେଇ ଘରର ତାଲା ଭାଙ୍ଗି ସୁନାଗହଣା ଓ ଟଙ୍କା ଚୋରି କରି ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କେସିଙ୍ଗା ସହରର ୱାର୍ଡ ନମ୍ବର ୯ ଅନ୍ତର୍ଗତ ଆମ୍ବେଦକର ଛକରୁ କଲେଜକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ସୁବାସ ଅଗ୍ରୱାଲଙ୍କ ବାସଭବନରେ ଭଡ଼ାରେ ରହୁଥିବା ଯୁଗଲ କିଶୋର ଅଗ୍ରୱାଲଙ୍କ ଘରେ ଏହି ଚୋରି ହୋଇଥିବା ଜଣାପଡ଼ିଛି। ଗତ ୩ ତାରିଖ ସୋମବାର ଦିନ ଯୁଗଲ କିଶୋର ଅଗ୍ରୱାଲ ନିଜ ପରିବାର ସହ ବାବାଧାମ ତୀର୍ଥ ଦର୍ଶନ ପାଇଁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିବା ସନ୍ଦେହ କରାଯାଉଛି। ଗତକାଲି ରବିବାର ରାତିରେ ପରିବାର ଲୋକେ ଘରକୁ ଫେରିବା ପରେ ଘରର ଅବସ୍ଥା ଦେଖି ଚକିତ ହୋଇଥିଲେ। ଘର ଭାଙ୍ଗିଥିବା ସହ ସୁନାଗହଣା ଓ ଟଙ୍କା ଚୋରି ହୋଇଥିବା ଜଣାପଡ଼ିବା ପରେ ତୁରନ୍ତ କେସିଙ୍ଗା ପୋଲିସକୁ ଖବର ଦିଆଯାଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ସନ୍ଧାନୀ କୁକୁର ଟିମ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇ ଚୋରି ଘଟଣାର ଛାନଭିନ୍ କରାଯାଉଛି। ଚୋରି ହୋଇଥିବା ସୁନାଗହଣା ଓ ଟଙ୍କାର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସଠିକ୍ ତଥ୍ୟ ସାମ୍ନାକୁ ଆସିନାହିଁ। ଦୁର୍ବୃତ୍ତମାନେ କିଏ ଏବଂ କେଉଁ ଦିଗରେ ଫେରାର ହୋଇଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
ଘଟଣା ପରେ କେସିଙ୍ଗା ସହରରେ ଚୋରିକୁ ନେଇ ପୁଣି ଥରେ ଭୟ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।
ବିୟୁରୋ ରିପୋର୍ଟ, ସମୃଦ୍ଧି ଓଡ଼ିଶା।
କେସିଙ୍ଗା ସହରରେ ପୁଣି ବଡ଼ ଧରଣର ଚୋରି ଘର ଭାଙ୍ଗି ସୁନାଗହଣା ଓ ଟଙ୍କା ଲୁଟ୍, ଦୁର୍ବୃତ୍ତ ଫେରାର











Leave a Reply