କେସିଙ୍ଗା-୨/୯ (ସମୃଦ୍ଧି ଓଡିଶା) ନର୍ଲା ଥାନା ଅଧୀନରେ ଘଟିଥିବା ଏକ ଚର୍ଚ୍ଚିତ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିବାରେ ନର୍ଲା ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ନଗଦ ଟଙ୍କା, ସୁନା ଅଳଙ୍କାର, ମୋଟରସାଇକେଲ, ମୋବାଇଲ ଫୋନ ଓ ଦୁଇଟି ଚାରିଚକିଆ ଗାଡ଼ି ଜବତ କରିଛି। ସୂଚନାଯୋଗ୍ୟ ଯେ, ଗତ ୧୨ ଅଗଷ୍ଟ ୨୦୨୬ ତାରିଖରେ ଭବାନୀପାଟଣାର ଉପେନ୍ଦ୍ର ରାଉତ ଓ ସୀତାରାମ ସା ବ୍ୟବସାୟିକ ଟଙ୍କା ସଂଗ୍ରହ କରି ରୁପ୍ରା ଅଞ୍ଚଳରୁ ମୋଟରସାଇକେଲରେ ଫେରୁଥିବା ବେଳେ ଚିପୁଲ ନିକଟରେ ଏକ ଚାରିଚକିଆ ଗାଡ଼ିରେ ଆସିଥିବା ମୁଖା ପିନ୍ଧା ପ୍ରାୟ ୧୦ ଜଣ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ଲାଠିରେ ମାଡ଼ ମାରି ଦୁଇଜଣଙ୍କୁ ରାସ୍ତାରେ ପକାଇ ଦେବା ପରେ ସେମାନଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ୍ କରି ଫେରାର ହୋଇଯାଇଥିଲେ।
ଏହି ଘଟଣାକୁ ନେଇ ନର୍ଲା ଥାନାରେ ମାମଲା ନମ୍ବର ୧୬୭/୨୦୨୬ ରୁଜୁ ହୋଇଥିଲା। ତଦନ୍ତ ସମୟରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କ ସଂପୃକ୍ତି ପ୍ରମାଣିତ କରି ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ୩ ଲକ୍ଷ ୮୫ ହଜାର ଟଙ୍କା ନଗଦ, ୭.୬୯୦ ଗ୍ରାମ ସୁନା, ଏକ ହିରୋ ସ୍ପ୍ଲେଣ୍ଡର ମୋଟରସାଇକେଲ, ୯ଟି ସ୍ମାର୍ଟ ମୋବାଇଲ ଫୋନ, ଏକ ହୁଣ୍ଡାଇ i10 କାର, ଏକ ମହିନ୍ଦ୍ରା ଜାଇଲୋ ଓ ଏକ ୟେଜ୍ଦି ମୋଟରସାଇକେଲ ଜବତ କରାଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ମାମଲାର ତଦନ୍ତ ଜାରି ରହିଛି। ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ନେଇ ତଦନ୍ତ ଚାଲିଥିବା ବେଳେ ସମସ୍ତ ତଥ୍ୟ ସଂଗ୍ରହ ପରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ନର୍ଲା ପୋଲିସକୁ ବଡ଼ ସଫଳତା : ଲୁଟ୍ ଘଟଣାରେ ୭ ଅଭିଯୁକ୍ତ ଗିରଫ, ନଗଦ ୩.୮୫ ଲକ୍ଷ ଟଙ୍କା ସହ ସୁନା ଓ ଗାଡ଼ି ଜବତ











Leave a Reply