କେସିଙ୍ଗା ୨୮/୧୦ (ସମୃଦ୍ଧି ଓଡିଶା)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଅବକାରୀ ବିଭାଗର ପକ୍ଷରୁ ଚଢ଼ାଉ କରାଯାଇ ଏକ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ ସହ ଗୋଟିଏ ପିସ୍ତଲ ଓ ୫ଟି ଅଫୁଟା ଗୁଳି ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର କେସିଙ୍ଗା ଅବକାରୀ ଥାନାର ଓ.ଆଇ.ସି. ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ୍ କେସିଙ୍ଗା ବ୍ଲକର ଅମାଠ ଛକରୁ ଜାତୀୟ ରାଜପଥ ୫୯ ଦେଇ ମଦନପୁର ରାମପୁର ଯିବା ରାସ୍ତାରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ପଲମ ଛକ ନିକଟସ୍ଥ ଟୋଲଗେଟ୍ ପାଖରେ ଏକ ଅଟୋରିକ୍ସାକୁ ସନ୍ଦେହରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଅଟୋରିକ୍ସାରୁ ୧୦୦ କେଜି ଗଞ୍ଜେଇ, ଗୋଟିଏ ପିସ୍ତଲ, ୫ଟି ଅଫୁଟା ଗୁଳି ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଥିଲା। ଏଥିସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ ଅଟୋରିକ୍ସାକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ଗଞ୍ଜେଇ ଚାଲାଣ ଓ ବେଆଇନ ଭାବେ ପିସ୍ତଲ ରଖିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାର ରାଜ୍ୟର ଶ୍ରୀରାମ ଗୌଡ଼ (୩୦) ଏବଂ ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟସ୍ଥ ଭୁଆଁପଡ଼ା ଗ୍ରାମର ଭୋଳା ହରପାଳ (୩୫)। ଉଭୟଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଚଢ଼ାଉରେ କେସିଙ୍ଗା ଅବକାରୀ ଥାନାର ଓ.ଆଇ.ସି. ମଳୟ କୁମାର ପ୍ରଧାନଙ୍କ ସହ ଅବକାରୀ କନେଷ୍ଟବଳ ସିଆରୀ ହରିଜନ, ମେଘନାଦ ବେହେରା, ସିଦ୍ଧାନ୍ତ ପଟ୍ଟନାୟକ ଓ କୀର୍ତ୍ତି ଜେନା ପ୍ରମୁଖ ସାମିଲ ଥିଲେ।ଗଞ୍ଜେଇ ଚାଲାଣ ଓ ଅସ୍ତ୍ରଶସ୍ତ୍ର ଜବତ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
କେସିଙ୍ଗାରେ ୧୦୦ କେଜି ଗଞ୍ଜେଇ ସହ ପିସ୍ତଲ ଜବତଦୁଇ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ










Leave a Reply