କେସିଙ୍ଗା-(ପ୍ରଫୁଲ୍ଲ ସାହୁ) କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ମଦମୁକ୍ତ ହେବା ପରେ ଗ୍ରାମର ସାମାଜିକ ପରିବେଶରେ ଲକ୍ଷଣୀୟ ସୁଧାର ଦେଖିବାକୁ ମିଳିଛି। ବିଶେଷକରି ଯୁବପିଢ଼ି ଓ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ଆଚରଣରେ ପରିବର୍ତ୍ତନ ଆସିଥିବାରୁ ଗ୍ରାମବାସୀମାନେ ଖୁସି ପ୍ରକାଶ କରିଛନ୍ତି।
ପୂର୍ବରୁ ଗ୍ରାମର କିଛି ଯୁବକ ଅତ୍ୟଧିକ ମଦ୍ୟପାନ କରି ରାତି ବେଳେ ରାସ୍ତାଘାଟରେ ବୁଲାବୁଲି କରୁଥିଲେ। ଅନେକ ସମୟରେ ସେମାନେ ରାତି ୧୨ଟାରୁ ୧ଟା ପର୍ଯ୍ୟନ୍ତ ଉଚ୍ଚ ସ୍ୱରରେ ପାଟିତୁଣ୍ଡ କରି ଗ୍ରାମର ଶାନ୍ତି ଓ ଶୃଙ୍ଖଳାକୁ ବ୍ୟାହତ କରୁଥିଲେ। ଏହା ଫଳରେ ବୃଦ୍ଧ, ମହିଳା ଓ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନେକ ପରିବାରରେ ଅଶାନ୍ତି ସୃଷ୍ଟି ହେଉଥିବା ସହ ଯୁବପିଢ଼ିଙ୍କ ଭବିଷ୍ୟତ ନେଇ ଅଭିଭାବକମାନେ ଚିନ୍ତିତ ଥିଲେ।
ତେବେ ଗ୍ରାମବାସୀ, ସଚେତନ ନାଗରିକ ଯୁବ ସଂଗଠନମାନଙ୍କ ମିଳିତ ପ୍ରୟାସରେ ବାଲସି ଗ୍ରାମକୁ ମଦମୁକ୍ତ କରିବା ଦିଗରେ ପଦକ୍ଷେପ ନିଆଯାଇଥିଲା। ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ, ବୈଠକ ଓ ପରାମର୍ଶ ଶିବିର ଆୟୋଜନ କରାଯାଇ ମଦ୍ୟପାନର କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ଏହାର ସକାରାତ୍ମକ ପ୍ରଭାବ ଧୀରେ ଧୀରେ ଦେଖିବାକୁ ମିଳିଥିଲା।
ବର୍ତ୍ତମାନ ଗ୍ରାମରେ ମଦ୍ୟପାନ ଉପରେ ଅନେକାଂଶରେ ନିୟନ୍ତ୍ରଣ ଆସିଥିବାରୁ ଯୁବକମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଦାୟିତ୍ୱବୋଧ ବୃଦ୍ଧି ପାଇଛି। ପୂର୍ବରୁ ବେଲଗାମ ଭାବରେ ଚଳାଚଳ କରୁଥିବା ଅନେକ ଯୁବକ ବର୍ତ୍ତମାନ ନିଜ ଶିକ୍ଷା, କାର୍ଯ୍ୟ ଓ ସାମାଜିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଉଛନ୍ତି। ରାତ୍ରି ସମୟରେ ଗ୍ରାମର ପରିବେଶ ଶାନ୍ତ ଓ ସୁରକ୍ଷିତ ହୋଇପାରିଛି।
ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କ କହିବା ଅନୁଯାୟୀ, ମଦମୁକ୍ତ ଅଭିଯାନ ଫଳରେ ପରିବାରିକ କଳହ କମିଛି ଏବଂ ସାମାଜିକ ସମ୍ପ୍ରୀତି ବୃଦ୍ଧି ପାଇଛି। ମହିଳାମାନେ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରି ଏହାକୁ ଗ୍ରାମର ବିକାଶ ଓ ସୁସ୍ଥ ସମାଜ ଗଠନ ପାଇଁ ଏକ ଉଦାହରଣ ବୋଲି କହିଛନ୍ତି।
ବାଲସି ଗ୍ରାମର ଏହି ସଫଳ ପ୍ରୟାସ ଅନ୍ୟ ଗ୍ରାମମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇପାରେ। ସମସ୍ତଙ୍କ ସହଯୋଗ ଓ ସଚେତନତା ଦ୍ୱାରା ଏକ ସୁସ୍ଥ, ଶୃଙ୍ଖଳିତ ଓ ନିଶାମୁକ୍ତ ସମାଜ ଗଠନ ସମ୍ଭବ ବୋଲି ବାଲସି ଗ୍ରାମ ପ୍ରମାଣ କରିଛି।
ବାଲସି ଗ୍ରାମ ହେଲା ମଦମୁକ୍ତ : ଯୁବପିଢ଼ିଙ୍କ ମଧ୍ୟରେ ଦେଖାଦେଲା ସକାରାତ୍ମକ ପରିବର୍ତ୍ତନ











Leave a Reply