କେସିଙ୍ଗାରେ ‘ନିଶାନ୍ତ ବାର’କୁ ତୀବ୍ର ବିରୋଧ, ଥାନାରେ ଅଭିଯୋଗ

କେସିଙ୍ଗା- ୮/୭ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ “ନିଶାନ୍ତ ବାର”କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଓମ ନଗର ଓ ଗାୟତ୍ରୀ ନଗର ଅଞ୍ଚଳର ବାସିନ୍ଦାମାନେ ବାର ଖୋଲିବାକୁ ବିରୋଧ କରି ଆଦର୍ଶ ଥାନାର ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଲୋକେ କହିବା ଅନୁଯାୟୀ, ବାରଟି ଯଦି ଏହି ସ୍ଥାନରେ ଖୋଲାଯାଏ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ଉପରେ ପ୍ରଭାବ ପଡ଼ିବ । ସରକାରୀ ପକ୍ଷରୁ ଏହା ଉପରେ କୌଣସି ଅଧିକୃତ ମତାମତ ମିଳିନଥିବା କହିଛନ୍ତି । କେସିଙ୍ଗା–ଟିଟିଲାଗଡ଼ ମୁଖ୍ୟ ରାସ୍ତାରେ ଓମ ନଗର ଓ ଗାୟତ୍ରୀ ନଗର ନିକଟରେ ପ୍ରସ୍ତାବିତ “ନିଶାନ୍ତ ବାର”କୁ ବିରୋଧ କରି ସ୍ଥାନୀୟ ବାସିନ୍ଦାମାନେ ଏକାଠି ହୋଇ ଆପତ୍ତି ଜଣାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହି ସ୍ଥାନଟି ଘନବସତିପୂର୍ଣ୍ଣ ଆବାସିକ ଅଞ୍ଚଳ ହେବା ସହ କଳାହାଣ୍ଡି ଓ ବଲାଙ୍ଗୀରକୁ ସଂଯୋଗ କରୁଥିବା ଏକ ବ୍ୟସ୍ତ ରାସ୍ତା।
ପ୍ରତିଦିନ ଏହି ରାସ୍ତାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ମହିଳା କର୍ମଚାରୀ, ଶ୍ରମିକ ଏବଂ ସାଧାରଣ ଲୋକ ଯାତାୟାତ କରୁଥିବାରୁ ବାର ଖୋଲିଲେ ସୁରକ୍ଷା ଓ ଆଇନ-ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷକରି ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ନେଇ ସ୍ଥାନୀୟ ଲୋକ ଚିନ୍ତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାସିନ୍ଦାମାନେ ଆଦର୍ଶ ଥାନାର ଆଇଆଇସିଙ୍କୁ ଏକ ଲିଖିତ ଦାବିପତ୍ର ଦେଇ ବାର ଖୋଲିବା ପ୍ରସ୍ତାବକୁ ବନ୍ଦ କରିବା ସହ ଆଇନ-ଶୃଙ୍ଖଳା ଓ ଜନସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏବେ ସ୍ଥାନୀୟ ଲୋକଙ୍କ ଦାବି ଉପରେ ପ୍ରଶାସନ କେଉଁ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *