କେସିଙ୍ଗା-୨୯/୮ (ପ୍ରଫୁଲ୍ଲ ସାହୁ) ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଅପମିଶ୍ରିତ ଖାଦ୍ୟପଦାର୍ଥ ବିରୋଧରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଶନିବାର କେସିଙ୍ଗା ସହରରେ ବ୍ୟାପକ ଚଢାଉ କରାଯାଇଛି। କଳାହାଣ୍ଡି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ କେସିଙ୍ଗା ରେଳ ଷ୍ଟେସନରୁ ଆରମ୍ଭ କରି ବୋରିଙ୍ଗପଦର ପର୍ଯ୍ୟନ୍ତ ଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଓମଫେଡ୍ ପାର୍ଲର ଓ ଖାଦ୍ୟ ବ୍ୟବସାୟୀ ପ୍ରତିଷ୍ଠାନରେ ଅଚାନକ ଯାଞ୍ଚ କରିଥିଲେ। ଚଢାଉ ସମୟରେ ଅଧିକାରୀମାନେ ଖାଦ୍ୟର ମାନ, ପରିଷ୍କାର-ପରିଚ୍ଛନ୍ନତା, ରନ୍ଧନ ବ୍ୟବସ୍ଥା ଏବଂ ଖାଦ୍ୟ ସଂରକ୍ଷଣ ପ୍ରକ୍ରିୟା ଯାଞ୍ଚ କରିଥିଲେ। ଅନେକ ହୋଟେଲରୁ ରନ୍ଧା ଖାଦ୍ୟର ନମୁନା ସଂଗ୍ରହ କରାଯାଇ ଗୁଣବତ୍ତା ପରୀକ୍ଷା ପାଇଁ ଲାବରେଟରୀକୁ ପଠାଯିବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
ଯାଞ୍ଚ ସମୟରେ କିଛି ହୋଟେଲରେ ଖାଦ୍ୟ ପାର୍ସଲ ପାଇଁ ପଲିଥିନ ବ୍ୟବହାର ହେଉଥିବା ଓ ପରିବେଶ ଏବଂ ସ୍ୱଚ୍ଛତା ସମ୍ପର୍କିତ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏହି କାରଣରୁ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଜରିମାନା ଲାଗୁ କରାଯାଇଥିବା ବେଳେ ତୁରନ୍ତ ତ୍ରୁଟି ସୁଧାରିବାକୁ ସତର୍କ କରାଯାଇଥିଲା। ଚଢାଉ ଖବର ପ୍ରଚାର ପାଇବା ପରେ କିଛି ମିଠା ଦୋକାନୀ ନିଜ ଦୋକାନ ବନ୍ଦ କରି ଦେଇଥିବା ମଧ୍ୟ ଦେଖାଯାଇଥିଲା। ଆଜିର ଏହି ସ୍ୱତନ୍ତ୍ର ଅଭିଯାନରେ ମୋଟ ୨୧ଟି ଦୋକାନର ଯାଞ୍ଚ କରାଯାଇଥିବା ବେଳେ ବିଭିନ୍ନ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢାଉରେ କଳାହାଣ୍ଡି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ୱଜିତ ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ କିଶୋର ଚନ୍ଦ୍ର ଦାସ, କେସିଙ୍ଗା ଏନ୍ଏସିର ସାନିଟେସନ୍ ଏକ୍ସପର୍ଟ ପ୍ରଶାନ୍ତ ବାରିକ, ନୃସିଂହ ଚରଣ ସ୍ୱାଇଁ, ସୁଶାନ୍ତ କୁମାର ନାଏକ ଓ ପୋଲିସ ବଳ ଉପସ୍ଥିତ ଥିଲେ।
କେସିଙ୍ଗା ସହରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ : ୨୧ ଦୋକାନରୁ ୧୩ ହଜାର ଟଙ୍କା ଫାଇନ ଆଦାୟ











Leave a Reply