କେସିଙ୍ଗା-(ପ୍ରଫୁଲ୍ଲ ସାହୁ) କଳାହାଣ୍ଡି: କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମରେ ଥିବା ମାଉସିମା ମନ୍ଦିର ନିକଟର (ହାଇମେକ୍ସ) ଲାଇଟ୍ ମରାମତିକୁ ନେଇ ପ୍ରଶାସନିକ ଅବହେଳାର ଅଭିଯୋଗ ସାମ୍ନାକୁ ଆସିଛି। ଦୀର୍ଘ ୨ ବର୍ଷ ଧରି ଏହି (ହାଇମେକ୍ସ) ଲାଇଟ୍ ଅଚଳ ଅବସ୍ଥାରେ ରହିଥିବାରୁ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏନେଇ ଜିଲ୍ଲାପାଳଙ୍କ ଜନସୁନାନୀ କାର୍ଯ୍ୟକ୍ରମରେ ମଧ୍ୟ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ କଳାହାଣ୍ଡି ଜିଲ୍ଲାପାଳ କେସିଙ୍ଗା ପ୍ରଶାସନକୁ ଉକ୍ତ (ହାଇମେକ୍ସ) ଲାଇଟ୍ ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଗ୍ରାମବାସୀଙ୍କ କହିବା ଅନୁସାରେ ବାସ୍ତବ କ୍ଷେତ୍ରରେ କୌଣସି ମରାମତି କାର୍ଯ୍ୟ ହୋଇନଥିବା ବେଳେ ଖାତାପତ୍ରରେ କାମ ସମ୍ପୂର୍ଣ୍ଣ ହୋଇଯାଇଥିବା ଦର୍ଶାଯାଇଛି। ଜନସୁନାନୀ ଅଭିଯୋଗ ପଞ୍ଜିକରଣ ନମ୍ବର DM2023346887 ଉପରେ ଦାଖଲ ହୋଇଥିବା ଅନୁପାଳନ ରିପୋର୍ଟରେ କେସିଙ୍ଗା ବିଡିଓ କାର୍ଯ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, “କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଜିପିର ବାଲସି ଗ୍ରାମର ମାଉସିମାଙ୍କ (ହାଇମେକ୍ସ) ଲାଇଟ୍ ପୂର୍ବରୁ ମରାମତି କରାଯାଇଛି।” ଏହି ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି।
କିନ୍ତୁ ଗ୍ରାମବାସୀମାନେ ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ହାଇମାଷ୍ଟ ଲାଇଟ୍ ଆଜି ପର୍ଯ୍ୟନ୍ତ ଅଚଳ ଅବସ୍ଥାରେ ରହିଛି ଏବଂ ଏହାର କୌଣସି ମରାମତି କରାଯାଇନାହିଁ। ଏପରି ପରିସ୍ଥିତିରେ କିପରି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟ ଦିଆଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ସେମାନଙ୍କ ମତରେ, ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ କାମ ନକରି କାମ ସରିଥିବା ଦର୍ଶାଇବା ପ୍ରଶାସନିକ ଦାୟିତ୍ୱହୀନତାର ପରିଚୟ। ଏଥିସହିତ ଏପରି ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶାସନ ପ୍ରତି ଅବିଶ୍ୱାସ ସୃଷ୍ଟି କରୁଛି ବୋଲି ସେମାନେ କହିଛନ୍ତି।
ବାସ୍ତବ ସ୍ଥିତିର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ସହ ହାଇମାଷ୍ଟ ଲାଇଟ୍କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଗ୍ରାମବାସୀମାନେ ପୁଣିଥରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ଏହି ଘଟଣାରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଅଭିଯୋଗ ପରେ ବି ମରାମତି ହୋଇନି ହାଇମେକ୍ସ ଲାଇଟ୍ । କାମ ନକରି କାମ ସରିଥିବା ଦର୍ଶାଇଛନ୍ତି ବ୍ଲକ ପ୍ରଶାସନିକ











Leave a Reply