କେସିଙ୍ଗା-୧୭/୬ (ପ୍ରଫୁଲ୍ଲ ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତର ମଶାଣିମୁଣ୍ଡା ଗ୍ରାମର କୁଆମୁଣ୍ଡା ପୋଖରୀକୁ ଗ୍ରାମବାସୀ ନିଜ ଉଦ୍ୟମରେ ସଫା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ପ୍ରାୟ ୨୦ ବର୍ଷ ଧରି ପୋଖରୀଟି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ, କୁଆମୁଣ୍ଡା ପୋଖରୀ ଉପରେ ମଶାଣିମୁଣ୍ଡା ଗ୍ରାମର ଅନେକ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ। ଗ୍ରାମର ଦୈନନ୍ଦିନ କାର୍ଯ୍ୟ ସହିତ ପଶୁପାଳନ ଓ କୃଷି କାର୍ଯ୍ୟରେ ମଧ୍ୟ ଏହି ପୋଖରୀର ଗୁରୁତ୍ୱ ରହିଛି। କିନ୍ତୁ ଦୀର୍ଘ ଦିନ ଧରି ଏହାର ରକ୍ଷଣାବେକ୍ଷଣ ନ ହେବାରୁ ପୋଖରୀର ପାଣି ସମ୍ପୂର୍ଣ୍ଣ ଭାବେ ମଇଳା ହୋଇପଡ଼ିଥିଲା। ଜଙ୍ଗଲି ଘାସ, ଆବର୍ଜନା ଓ ପଙ୍କରେ ପୋଖରୀଟି ଭରିଯାଇ ଅବ୍ୟବସ୍ଥାର ଶିକାର ହୋଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ସମସ୍ୟାକୁ ନେଇ ସେମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଏକାଧିକ ଥର ଲିଖିତ ଅଭିଯୋଗ କରିଆସୁଥିଲେ। ତଥାପି ସମସ୍ୟାର ସମାଧାନ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିଲା। ପ୍ରଶାସନର ଏହି ଉଦାସୀନ ମନୋଭାବ ପ୍ରତି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଶେଷରେ ବାଧ୍ୟ ହୋଇ ଗ୍ରାମର ଯୁବକ, ବୃଦ୍ଧ ଓ ମହିଳାମାନେ ଏକତ୍ରିତ ହୋଇ ନିଜସ୍ୱ ଶ୍ରମଦାନ ମାଧ୍ୟମରେ ପୋଖରୀ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ପୋଖରୀରୁ ଆବର୍ଜନା, ଜଙ୍ଗଲି ଘାସ କରାଯାଇଥିଲା। ଗ୍ରାମବାସୀ କହିଛନ୍ତି ଯେ ପ୍ରଶାସନ ଧ୍ୟାନ ନ ଦେବାରୁ ସେମାନେ ପ୍ରତିବର୍ଷ ନିଜ ଉଦ୍ୟମରେ ପୋଖରୀ ସଫା କରିଆସୁଛନ୍ତି।
ପ୍ରଶାସନର ଅବହେଳା, ଗ୍ରାମବାସୀଙ୍କ ଉଦ୍ୟମରେ ସଫା ହେଲା କୁଆମୁଣ୍ଡା ପୋଖରୀ











Leave a Reply