ଅମୃତ ଭାରତ ଯୋଜନାରେ ନବକଳେବର ପାଇଥିବା କେସିଙ୍ଗା ରେଳ ଷ୍ଟେସନର ଉଦଘାଟନ(ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ)

କେସିଙ୍ଗା, ୧୭/୭: (ପ୍ରଫୁଲ୍ଲ ସାହୁ)କଳାହାଣ୍ଡି ଜିଲ୍ଲାର ଐତିହାସିକ ତଥା ସର୍ବପୁରାତନ କେସିଙ୍ଗା ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ନବକଳେବର ପାଇଛି। ପ୍ରାୟ ୨୨ କୋଟି ଟଙ୍କା ବ୍ୟୟରେ ଷ୍ଟେସନର ଭିତ୍ତିଭୂମିର ସାମଗ୍ରିକ ବିକାଶ କରାଯାଇଥିବାବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଜଳନ୍ଧର କେଣ୍ଟ ଷ୍ଟେସନରୁ ଆଭାସୀ ମାଧ୍ୟମରେ ଏହାର ଉଦଘାଟନ କରି ଦେଶବାସୀଙ୍କୁ ସମର୍ପଣ କରିଥିଲେ।୧୯୩୧ ମସିହାରେ ସ୍ଥାପିତ କେସିଙ୍ଗା ରେଳ ଷ୍ଟେସନ ପ୍ରାୟ ନଅ ଦଶକରୁ ଅଧିକ ସମୟ ପରେ ଆଧୁନିକ ରୂପ ପାଇଛି। ଅମୃତ ଭାରତ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ୭୫ଟି ରେଳ ଷ୍ଟେସନ ମଧ୍ୟରେ କେସିଙ୍ଗାକୁ ସାମିଲ କରାଯାଇଥିଲା। ଓଡ଼ିଶାର ବଲାଙ୍ଗୀର, ତାଳଚେର, ବରପାଲି, ବାରିପଦା, ପାରଳାଖେମୁଣ୍ଡି, ବିମଳଗଡ଼ ଓ କେସିଙ୍ଗା ସମେତ ସାତଟି ଷ୍ଟେସନର ବିକାଶ ପାଇଁ ମୋଟ ୧୦୯ କୋଟି ଟଙ୍କା ବ୍ୟୟ କରାଯାଇଛି|।କେସିଙ୍ଗା ଷ୍ଟେସନରେ ନୂତନ ଷ୍ଟେସନ ଭବନ, ବିସ୍ତୃତ ପ୍ଲାଟଫର୍ମ ସେଡ୍, ପ୍ରଶସ୍ତ ପ୍ରବେଶ ପଥ, ଲିଫ୍ଟ ସୁବିଧା, ୧୨ ମିଟର ଚଉଡ଼ା ଫୁଟ୍ ଓଭରବ୍ରିଜ୍, ଆଧୁନିକ ଯାତ୍ରୀ ପ୍ରତୀକ୍ଷାଳୟ, ଡିଜିଟାଲ ସୂଚନା ଫଳକ, ଉନ୍ନତ ଶୌଚାଳୟ ଏବଂ ଆକର୍ଷଣୀୟ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଏହି ସମସ୍ତ ସୁବିଧା ଯାତ୍ରୀମାନଙ୍କୁ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ଆରାମଦାୟକ ସେବା ପ୍ରଦାନ କରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଉଦଘାଟନ ଅବସରରେ କେସିଙ୍ଗା ରେଳ ଷ୍ଟେସନ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଧର୍ମଗଡ଼ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିକାଶମୂଳକ ପଦକ୍ଷେପ କଳାହାଣ୍ଡି ଜିଲ୍ଲାର ରେଳ ଯୋଗାଯୋଗ ଓ ଆର୍ଥିକ ବିକାଶକୁ ଅଧିକ ଗତିଶୀଳ କରିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ପଦ୍ମଭୂଷଣ ପଟାୟତ ସାହୁ, ଜିଲ୍ଲାପାଳ ସଚିନ ପ୍ରକାଶ ପାୱାର, ରେଳ ବିଭାଗର ଏଡିଆରଏମ୍, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସ୍ୱାଇଁଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଓ ବିଜେପିର ରାଜ୍ୟ, ଜିଲ୍ଲା ଓ ସ୍ଥାନୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।ନବକଳେବର ପାଇଥିବା କେସିଙ୍ଗା ରେଳ ଷ୍ଟେସନ କେବଳ କଳାହାଣ୍ଡି ନୁହେଁ, ପଶ୍ଚିମ ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସ୍ଥାନୀୟ ଲୋକମାନେ ଏହି ଆଧୁନିକୀକରଣକୁ ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ଯାତ୍ରୀ ସେବା ଓ ଅଞ୍ଚଳର ବାଣିଜ୍ୟିକ କାର୍ଯ୍ୟକଳାପ ଅଧିକ ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *