କେସିଙ୍ଗା, ୪/୮: (ସମୃଦ୍ଧି ଓଡିଶା) ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ସାକାର କରିବା ସହ ଏକ ଉତ୍ତମ ଶିକ୍ଷାନୁଷ୍ଠାନ ଗଠନ ଉଦ୍ଦେଶ୍ୟରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ପ୍ରଥମ ଅଭିଭାବକ-ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଦ୍ୟାଳୟ ପରିଚାଳନା ସମିତିର ନବନିର୍ବାଚିତ ସଭାପତି ଶିବ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, କହ୍ନେଇଲାଲ ସାହୁ ଓ ସୁଶାନ୍ତ କୁମାର ମେହେର ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ବିକାଶ ଏବଂ ଶିକ୍ଷାର ମାନୋନ୍ନତି ସମ୍ପର୍କରେ ମତାମତ ରଖିଥିଲେ ବୈଠକର ଆରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଓସେପାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଓ ବିଦ୍ୟାଳୟର ଶିକ୍ଷାଗତ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବିଦ୍ୟାଳୟରେ ଅନୁକୂଳ, ସୁରକ୍ଷିତ ଓ ଆନନ୍ଦମୟ ଶିକ୍ଷଣୀୟ ପରିବେଶ ସୃଷ୍ଟି, ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ ଅଭିଭାବକଙ୍କ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଉପସ୍ଥିତ ଅଭିଭାବକମାନେ ବିଦ୍ୟାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଶିକ୍ଷଣୀୟ, ସୃଜନଶୀଳ ଓ ଛାତ୍ରୀ କଲ୍ୟାଣମୂଳକ ପଦକ୍ଷେପର ପ୍ରଶଂସା କରିବା ସହ ନିଜ ନିଜ ସନ୍ତାନଙ୍କ ନିରନ୍ତର ଓ ସାମଗ୍ରିକ ସଫଳତା ପାଇଁ ବିଦ୍ୟାଳୟକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଶିକ୍ଷକ ଜି. କ୍ରିଷ୍ଣା ରେଡ୍ଡୀ କାର୍ଯ୍ୟକ୍ରମକୁ ସଫଳ ଭାବେ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ କହ୍ନେଇଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ଶେଷରେ ‘ମାଆ ପାଇଁ ଗଛଟିଏ–୩.୦’ କାର୍ଯ୍ୟକ୍ରମ ଅନ୍ତର୍ଗତ ଅଭିଭାବକ,ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥିଲେ।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ, ‘ମାଆ ପାଇଁ ଗଛଟିଏ–୩.୦’ରେ ବୃକ୍ଷରୋପଣ











Leave a Reply